ଭାରତ-ଆମେରିକା ମିଳିତ ପ୍ରୟାସ କରିବେ

ରୋହିଙ୍ଗ୍ୟା ସଙ୍କଟର ସମାଧାନ ପାଇଁ

ନୂଆଦିଲ୍ଲୀ: ମିଆଁମ୍ୟାରରେ ସରକାରୀ ସେନାର ବଡ଼ ଧରଣର ଦମନମୂଳକ କାର୍ଯ୍ୟାନୁଷ୍ଠାନ ପରେ ଏବେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ମୁସ୍‌୍‌ଲିମ ଶରଣାର୍ଥୀ ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଲକ୍ଷ ଶରଣାର୍ଥୀ ବାଂଲାଦେଶରେ ଆଶ୍ରୟ ନେଇଛନ୍ତି ଏବଂ ସେମାନଙ୍କୁ ନେଇ ଉପୁଜିଥିବା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ସଙ୍କଟର ସମାଧାନ କରିବା ଏବଂ ରୋହିଙ୍ଗ୍ୟା ମୁସ୍‌୍‌ଲିମ ଶରଣାର୍ଥୀଙ୍କୁ ପୁନଃ ମିଆଁମ୍ୟାର ଫେରାଇନେବା ଦିଗରେ ଭାରତ ଓ ଆମେରିକା ମିଳିତ ପ୍ରୟାସ କରିବେ ବୋଲି ଜଣାପଡ଼ିଛି। ଏ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଭାରତ ସହ ମିଶି କାମ କରିବାକୁ ଆଗ୍ରହୀ ଥିବା ଜଣାଇଛି ଏବଂ ନିର୍ଦ୍ଦିଷ୍ଟ ପ୍ରସ୍ତାବ ମଧ୍ୟ ଦେଇଛି। ଏବେ ଭାରତ ସରକାର ଏ ବାବଦରେ ବିଚାର କରୁଛନ୍ତି ଏବଂ ଖୁବ୍‌୍‌ଶୀଘ୍ର ମିଳିତ ପଦକ୍ଷେପ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ଭାରତ ସରକାର ରୋହିଙ୍ଗ୍ୟା ମୁସ୍‌୍‌ଲିମଙ୍କୁ ଭାରତରେ ପ୍ରବେଶ କରିବାକୁ ଦେବେନାହିଁ ଏବଂ ଏଠାରେ ରହିଥିବା ଶରଣାର୍ଥୀଙ୍କୁ ଫେରିଯିବାକୁ କୁହାଯିବ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କାର ତାମିଲ ଶରଣାର୍ଥୀଙ୍କ ଭଳି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମାମଲାରେ ସରକାର କୌଣସି ଥଇଥାନ ପଦକ୍ଷେପ ଗ୍ରହଣ କରିବେ ନାହିଁ ଏବଂ ସେମାନଙ୍କର ଭାରତରେ ବୈଧ ପ୍ରମାଣପତ୍ର ବିନା ପ୍ରବେଶ ଅଧିକାର ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଦେଶର ସୁରକ୍ଷା ଦୃଷ୍ଟିରୁ ଯେଉଁମାନଙ୍କ ପାଖରେ ବୈଧ ଭିସା ବା ପ୍ରମାଣପତ୍ର ଥିବ ସେମାନଙ୍କୁ କେବଳ ଦେଶକୁ ପଶିବାର ଅନୁମତି ଦିଆଯିବ ବୋଲି କୁହାଯାଇଛି । କେନ୍ଦ୍ର ସରକାର ଏହି ମାମଲାରେ ବାଂଲାଦେଶକୁ ସହାୟତା ଦେଇ ଶରଣାର୍ଥୀ ସଙ୍କଟର ଅବସାନ ଚାହୁଥିବା ବେଳେ ଏବେ ଆମେରିକା ସହଯୋଗରେ ଏହି କାର୍ଯ୍ୟକୁ ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ରୋହିଙ୍ଗ୍ୟା ସୁସ୍‌ଲିମ୍‌ଙ୍କ ଥଇଥାନ ପାଇଁ ବାଂଲାଦେଶ ସରକାର ବିଶ୍ୱର ବୃହତ୍ତମ ଶରଣାର୍ଥୀ ଶିବିର ଗଢ଼ିବେ ବୋଲି ଘୋଷଣା କରିଥିବାରୁ ଏଥିରେ ଭାରତ ପ୍ରତ୍ୟକ୍ଷ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ୮ ଲକ୍ଷରୁ ଅଧିକ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିପାରିବ ବୋଲି ଆକଳନ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୨୫ ତାରିଖ ପରଠାରୁ ବୌଦ୍ଧଧର୍ମୀ ବହୁଳ ମିଆଁମାରରେ ସେନାର ଦମନ ପରେ ୧୦ ଲକ୍ଷ ରୋହିଙ୍ଗ୍ୟା ମୁସ୍‌ଲିମ୍‌ ଦେଶଛାଡ଼ି ପଳାଇଥିଲେ ଏବଂ ଅଧିକାଂଶ ବାଂଲାଦେଶରେ ଆଶ୍ରୟ ନେଇଛନ୍ତି। ଏତେ ସଂଖ୍ୟକ ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ବାଂଲାଦେଶ ସରକାର ସୀମାନ୍ତ କୋକ୍ସ ସହର ସନ୍ନିକଟ କୁତୁପାଲଂ ଠାରେ ରହିଥିବା ଶିବିରର ସମ୍ପ୍ରସାରଣ ଯୋଜନା କରିଛି। ସେଠାରେ ପ୍ରଥମେ ୭୯୦ ହେକ୍ଟର ପରିମିତ ଜାଗାରେ ସେମାନଙ୍କ ପାଇଁ ଆଶ୍ରୟ ଶିବିର କରାଯାଇଥିଲା। ତେବେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ପୁଣି ୪୦୪ ହେକ୍ଟର ଜାଗାରେ ଶିବିର ଗଢ଼ାଯାଉଛି। ଏବେ ଦେଶର ବିଭିନ୍ନ ଜାଗାରେ ବିକ୍ଷିପ୍ତ ଭାବରେ ରହିଥିବା ରୋହିଙ୍ଗ୍ୟାମାନଙ୍କୁ ଏହି ବୃହତ୍‌ ଶିବିରକୁ ଅଣାଯିବ ବୋଲି ଜଣାପଡ଼ିଛି। ଶରଣାର୍ଥୀଙ୍କ ପ୍ରତି ବାଂଲାଦେଶର ଏପରି ଉଦାର ମନୋଭାବକୁ ଜାତିସଂଘ ପ୍ରଶଂସା କରିଛି।

ସମ୍ବନ୍ଧିତ ଖବର