‘ହାଇପର୍‌ସୋନିକ୍‌ ମିସାଇଲ୍‌’ ବିକଶିତ କରୁଥିବା ଅଳ୍ପ କେତେକ ଦେଶ ମଧ୍ୟରେ ଭାରତ: ଆମେରିକା କଂଗ୍ରେସିଓନାଲ୍‌ ରିପୋର୍ଟ

ଓ୍ଵାସିଂଟନ୍‌: ‘ହାଇପର୍‌ସୋନିକ୍‌’ ଅସ୍ତ୍ରଶସ୍ତ୍ର ବିକଶିତ କରୁଥିବା ଅଳ୍ପ କେତେକ ଦେଶ ମଧ୍ୟରେ ଭାରତ ଅନ୍ୟତମ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘କଂଗ୍ରେସିଓନାଲ୍‌ ରିସର୍ଚ ସର୍ଭିସ୍‌’ (ସିଆର୍‌ଏସ୍‌) ରିପୋର୍ଟ ଉଲ୍ଲେଖ କରିଛି।

ଏ ସପ୍ତାହର ସଦ୍ୟତମ ରିପୋର୍ଟରେ ସ୍ୱାଧୀନ ‘କଂଗ୍ରେସିଓନାଲ୍‌ ରିସର୍ଚ ସର୍ଭିସ୍‌’ କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚୀନ୍‌ ଅତ୍ୟାଧୁନିକ ‘ହାଇପର୍‌ସୋନିକ୍‌’ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମର ଅଧିକାରୀ ହୋଇଥିଲେ ବି ଅଷ୍ଟ୍ରେଲିଆ, ଭାରତ, ଫ୍ରାନ୍‌ସ୍‌, ଜର୍ମାନି ଏବଂ ଜାପାନ ସମେତ ଅନେକ ଅନ୍ୟାନ୍ୟ ଦେଶ ମଧ୍ୟ ‘ହାଇପର୍‌ସୋନିକ୍‌’ ଅସ୍ତ୍ରଶସ୍ତ୍ର ବୈଷୟିକ ଜ୍ଞାନ କୌଶଳ ବିକାଶ କରୁଛନ୍ତି।

ଏ କ୍ଷେତ୍ରରେ ଅଷ୍ଟ୍ରେଲିଆ ଯୁକ୍ତରାଷ୍ଟ୍ର ଆମେରିକାର ସହଯୋଗ ନେଉଥିବା ବେଳେ ଭାରତ ରୁଷ୍‌ର ସହଯୋଗ ପାଉଥିବା କଥା ‘ସିଆର୍‌ଏସ୍‌’ ରିପୋର୍ଟରେ ଦର୍ଶାଯାଇଛି।

Image Courtesy of The Economic Times

‘ମାକ୍‌ ୭ ହାଇପର୍‌ସୋନିକ୍‌ କ୍ରୁଜ୍‌ ମିସାଇଲ୍‌’ ‘ବ୍ରହ୍ମୋସ୍‌-୨’ ନିର୍ମାଣରେ ଭାରତ ରୁଷ୍‌ର ସହାୟତା ନେଇଛି ବୋଲି ‘ସିଆର୍‌ଏସ୍‌’ ରିପୋର୍ଟରେ ଉଲ୍ଲେଖ ଅଛି।

ଏହା ବ୍ୟତିରେକେ, ‘ହାଇପର୍‌ସୋନିକ୍‌ ଟେକ୍ନୋଲୋଜି ଡେମନଷ୍ଟ୍ରେଟର୍‌ ଭେଇକ୍ଲ୍‌ ପ୍ରୋଗ୍ରାମ୍‌’ରେ ଭାରତ ସ୍ୱଦେଶ ଜ୍ଞାନକୌଶଳରେ ‘ଡୁଆଲ୍‌ କ୍ୟାପାବଲ୍‌ ହାଇପର୍‌ ସୋନିକ୍‌ ମିସାଇଲ୍‌’ (ମାକ୍‌ ୬ ସ୍କ୍ରାମ୍‌ଜେଟ୍‌) ନିର୍ମାଣ କରି ୨୦୧୯ ଜୁନ୍‌ ଏବଂ ୨୦୨୦ ସେପ୍ଟେମ୍ବର ସଫଳତାର ସହ ପରୀକ୍ଷା କରିଛି।

ଭାରତ ହାରାହାରି ୧୨ଟି ‘ହାଇପର୍‌ସୋନିକ୍‌ ଓ୍ଵିଣ୍ଡ୍‌ ଟନେଲ୍‌’ ପରିଚାଳନା କରୁଛି ଏବଂ ‘ମାକ୍‌-୧୩’ ବେଗର ହାଇପର୍‌ସୋନିକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିପାରିବ ବୋଲି ‘ସିଆର୍‌ଏସ୍‌’ ରିପୋର୍ଟ ଦର୍ଶାଇଛି।

ସମ୍ବନ୍ଧିତ ଖବର