ଆଫଗାନିସ୍ତାନ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ, ସେମାନଙ୍କ ଉପରେ କୌଣସି ବିପଦ ଆସିବ ନାହିଁ: ତାଲିବାନ ମୁଖପାତ୍ର

କାବୁଲ: ଭାରତ ଆଫଗାନିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ଏବଂ ଆଫଗାନିସ୍ତାନ‌ରେ ନୂତନ ସରକାର କ୍ଷମତାକୁ ଆସିବା ସେମାନଙ୍କ ପାଇଁ ବିପଦ ହେବ ନାହିଁ ବୋଲି ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଏଭଳି କହିଛନ୍ତି।

ଭାରତ ବିରୋଧରେ ପାକିସ୍ତାନ ସହ ମିଶି ତାଲିବାନ ଷଡ଼ଯନ୍ତ୍ର କରୁଥିବା ନେଇ ପ୍ରଶ୍ନ କରାଯିବା ପରେ ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ଏଭଳି ଖବର ଭିତ୍ତିହୀନ। ତାଲିବାନ ଅନ୍ୟ କୌଣସି ଦେଶ ସହ ମିଶି ଭାରତକୁ ବିପଦରେ ପକାଇବ ନାହିଁ। ଆମେ ଭାରତକୁ ନିଶ୍ଚିତ କରୁଛୁ ଯେ ଆମ ସରକାର ସେମାନଙ୍କ ପାଇଁ ବିପଦ ଆଣିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଲିବାନ ଚାହୁଁଛି ଆଫଗାନିସ୍ତାନରେ ଅନ୍ୟ ଦେଶଗୁଡିକ ସେମାନଙ୍କର ଦୂତାବାସ କରନ୍ତୁ। ଆଫଗାନିସ୍ତାନରେ ରାଷ୍ଟ୍ରଦୂତଙ୍କ ଉପସ୍ଥିତି ଲାଭଦାୟକ ଅଟେ। ଆମେ ଚାହୁଁ ଯେ ସମସ୍ତ ଦେଶ ଆମ ସହ ଭଲ ସମ୍ପର୍କ ରଖନ୍ତୁ। ଆମେ ରାଷ୍ଟ୍ରଦୂତମାନଙ୍କୁ ସୁରକ୍ଷା ଯୋଗାଇଛୁ ଏବଂ ସେମାନଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଆମେ ପସନ୍ଦ କରିବୁ |

ତେବେ କିଛି ଦିନ ତଳେ ଏକ ପାକିସ୍ତାନ ନିଉଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଜାବିହୁଲ୍ଲା ମୁଜାହିଦ୍ କହିଥିଲେ ଯେ, ଆଫଗାନିସ୍ତାନ ପାକିସ୍ତାନ ସହିତ ନିଜର ସୀମା ବାଣ୍ଟିଛି। ଯେତେବେଳେ ଧର୍ମ କଥା ଆସେ, ସେତେବେଳେ ଆମେ ପାରମ୍ପାରିକ ଭାବରେ ପରସ୍ପର ସହ ଜଡ଼ିତ ହେଉ; ଉଭୟ ଦେଶର ଲୋକମାନେ ପରସ୍ପର ସହିତ ମିଶନ୍ତି। ତେଣୁ ଆମେ ପାକିସ୍ତାନ ସହ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଅପେକ୍ଷା କରିଛୁ। ତାଙ୍କର ଏଭଳି ମନ୍ତବ୍ୟ ପରେ ଭାରତ ବିରୋଧରେ ପାକିସ୍ତାନ ସହ ତାଲିବାନ ହାତ ମିଳାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ଏବେ ସେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର