ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ପ୍ରସଙ୍ଗରେ ଆମେରିକାର ଧାର୍ମିକ ସ୍ବାଧୀନତା କମିସନ୍ ବିବାଦୀୟ ବିବୃତି ଦେଇଥିବାରୁ ଭାରତ ଏହାର କଡ଼ା ସମାଲୋଚନା କରିଛି। ୟୁଏସ୍ କମିସନ୍ ଫର ଇଣ୍ଟରନ୍ୟାସନାଲ୍ ରିଲିଜିୟସ୍ ଫ୍ରିଡମ୍ (ୟୁଏସ୍ସିଆଇଆର୍ଏଫ୍) ଦ୍ବାରା ଗତକାଲି ସିଏବି ସଂକ୍ରାନ୍ତରେ ଏକ ବିବୃତି ଜାରି କରି କୁହାଯାଇଥିଲା ଯେ , ନାଗରିକତା ସଂଶୋଧନ ବିଲ୍ ଆପ୍ରବାସୀଙ୍କ ପାଇଁ ନାଗରିକତାର ମାର୍ଗ ପ୍ରଶସ୍ତ କରୁଛି ଏବଂ ଏହା ନିର୍ଦ୍ଦିଷ୍ଟ ଭାବେ ମୁସଲିମ୍ଙ୍କୁ ବାଦ୍ ଦେଇଛି। ସିଏବି ଭୁଲ୍ ରାସ୍ତାରେ ଯାଉଛି ଏବଂ ସମ୍ବିଧାନ ସବୁ ଧର୍ମକୁ ଦେଇଥିବା ସମାନ ଅଧିକାର ଏହା ଦ୍ବାରା ଉଲ୍ଲଂଘନ ହେଉଛି ବୋଲି ଏହି ସଂସ୍ଥା କହିଥିଲା। ଭାରତ ସରକାର ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଭାରତ ବିରୋଧରେ ବୟାନ ଦେବା ଏହି ସଂସ୍ଥାର ପୁରୁଣା ଅଭ୍ୟାସ ଏବଂ ଏହା ଭାରତ ବିରୋଧୀ ଚିନ୍ତାଧାରାରେ ଆକ୍ରାନ୍ତ।
କେବଳ ଅଣ ମୁସ୍ଲିମ ନାଗରିକଙ୍କୁ ନାଗରିକତା ପ୍ରଦାନ ପାଇଁ ଆସିଥିବା ଏହି ବିଲ୍ ଭାରତର ଧର୍ମନିରପେକ୍ଷ ନୀତିର ବିରୁଦ୍ଧାଚରଣ କରୁଛି ବୋଲି ଆମେରିକୀୟ ସଂସ୍ଥା ମତ ଦେବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲାଗୁ କରିବା ପାଇଁ ମଧ୍ୟ ଦାବି କରିଛି। ଯଦି ଏହି ବିଲ୍ ସଂସଦରେ ଗୃହୀତ ହୋଇଯାଏ ତେବେ ଆମେରିକା ଏ ଦିଗରେ ତତ୍ପରତା ପ୍ରକାଶ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ହେବ ବୋଲି ଧାର୍ମିକ କମିସନ କହିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏହି ସଂସ୍ଥା ଭାରତର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ବିବାଦୀୟ ବୟାନ ଦେଇଛି। ଏହି ସଂସ୍ଥାର ଇତିହାସରୁ ଜଣାପଡ଼ିଛି ଯେ ଏହା ଭାରତ ବିରୋଧୀ ମାନସିକତାରେ ଆକ୍ରାନ୍ତ ରହିଛି।