ପୋର୍ଟ ବ୍ଲେୟାରରୁ ଚୀନ୍‌ ଜାହାଜକୁ ଘଉଡ଼ାଇଲା ଭାରତ

ନୂଆଦିଲ୍ଳୀ: ଭାରତ ମହାସାଗରରେ ଚୀନ୍‌ ଜାହାଜର ଉପସ୍ଥିତି ବୃଦ୍ଧି ପାଉଛି। ଚୀନ୍‌ର ପିଏଲ୍‌ଏ (ପିପୁଲ୍ସ ଲିବରେସନ୍‌ ଆର୍ମି)ର ଏକ ଗବେଷଣା ଜାହାଜ ଗତ ସେପ୍ଟେମ୍ବରରେ ଆଣ୍ଡାମାନ ଏବଂ ନିକୋବର ଆଇଲାଣ୍ଡ୍‌ ସ୍ଥିତ ଭାରତୀୟ ଅଂଚଳରେ ପ୍ରବେଶ କରିଥିବାରୁ ତାହାକୁ ବଳପୂର୍ବକ ଘଉଡ଼ାଇ ଦିଆଯାଇଥିଲା। ଚୀନ୍‌ ଜାହାଜ ‘ସି ୟାନ୍‌ ୧’କୁ ଆଣ୍ଡାମାନ ନିକୋବର ଆଇଲାଣ୍ଡ୍‌ର ପୋର୍ଟ ବ୍ଲେୟାର ସ୍ଥିତ ଭାରତୀୟ ଜଳରାଶିରେ ଦେଖିବାକୁ ମିଳିଥିଲା। ଜାହାଜଟିକୁ ଠାବ କରାଯିବା ପରେ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ଜାହାଜ ଭାରତୀୟ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ଗବେଷଣା କରୁଥିବା ଜଣାପଡ଼ିବା ପରେ ଏହାର ଯାଞ୍ଚ ପାଇଁ ନୌସେନା ଯୁଦ୍ଧ ଜାହାଜ ପଠାଯାଇଥିଲା। ଆଇନଗତ ଅନୁମତି ନଥିବାରୁ ଚୀନ୍‌ର ଏହି ଗବେଷଣା ଜାହାଜକୁ ଭାରତୀୟ ଜଳରୁ ତୁରନ୍ତ ହଟଯିବାକୁ ବାଧ୍ୟ କରାଯାଇଥିଲା। ଭାରତୀୟ ନୌସନାର କଡ଼ା ଚେତାବନୀ ପରେ ଚୀନ୍‌ର ସି ୟାନ୍‌ ୧ ଜାହାଜ ଭାରତର ଜଳସୀମା ଛାଡ଼ିଥିଲା। ‌ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆଜି ଏ ସଂପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି। ଆସନ୍ତା କାଲି ନୌସେନା ଦିବସ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆଜି ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ କହିଛନ୍ତି।

ଚୀନ୍‌ର ଏଭଳି ଆଚରଣ ପାଇଁ କଡ଼ା ଚେତାବନୀ ଦେଇଛନ୍ତି ନୌସେନା ମୁଖ୍ୟ। ଭାରତୀୟ ମହାସାଗରରେ ଚୀନ୍‌ର ଉପସ୍ଥିତି ଉପରେ ନୌସେନା କଡ଼ା ନଜର ରଖିଛି। ଯଦି ଚୀନ୍‌ ଭାରତୀୟ କ୍ଷେତ୍ରରେ କିଛି କରିବାକୁ ଚାହୁଛି ତେବେ ଏ ସଂକ୍ରାନ୍ତରେ ଏହା ଭାରତକୁ ପୂର୍ବରୁ ଅବଗତ କରାଇବା ସହ ଏବାବଦ ଅନୁମତି ନେବା ଉଚିତ୍‌। ବିନା ଅନୁମତିରେ ଚୀନ୍‌ ଭାରତୀୟ ମହାସାଗୀରେ ପ୍ରବେଶ କରିବା ଗ୍ରହଣୀୟ ନୁହେଁ। ଏ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ ହେଉଛି ବୋଲି କରମବୀର ସିଂହ କହିଛନ୍ତି। ଏକ ବିଶେଷ ସୁତ୍ରରୁ ଜାଣିବାକୁ ମିଳିଛି ଯେ ଏହି ଜାହାଜକୁ ଚୀନ୍‌ ଗବେଷଣା‌ କାର୍ଯ୍ୟ ପାଇଁ ବ୍ୟବହାର କରିଥିଲା। ନୌସେନା ମୁଖ୍ୟ କହିଛନ୍ତି ଯେ ୨୦୦୮ରୁ ଚୀନ୍‌ ଭାରତୀୟ ଜଳରାଶିରେ ଏହାର ଉପସ୍ଥିତି ବୃଦ୍ଧି କରିଛି। ସେ ଦିଗରେ ଆମେ କଡ଼ା ନଜର ରଖିଛୁ ବୋଲି ନୌସେନା ମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର