ସାଟେଲାଇଟ୍‌ ଡାଟା ସେୟାର୍‌ ପାଇଁ ଭାରତ ଏବଂ ଇଉରୋପୀୟ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମରେ ପାରସ୍ପରିକ ସହଯୋଗ ସକାଶ ଭାରତର ମହାକାଶ ବିଭାଗ (ଡିଓଏସ୍‌) ଏବଂ ଇଉରୋପୀୟ ସଂଘ ସୋମବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ବଳରେ ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌ ଡାଟା ସେୟାର୍‌ କରି ହେବ।
ଚୁକ୍ତି ଅନୁସାରେ ଇଉରୋପୀୟ ସଂଘ ତା’ର କୋପରନିକସ୍‌ ସାଟେଲାଇଟ୍‌ ସିଷ୍ଟମ୍‌ରୁ ଭାରତକୁ ମାଗଣାରେ ଗ୍ଲୋବାଲ୍‌ ଡାଟା ଆକ୍‌ସେସ୍‌ କରିବାକୁ ଅନୁମତି ଦେବ।

ଛଅଟି ପରିବାରର କୃତ୍ରିମ ଉପଗ୍ରହ ଏବଂ ଡଜନାଧିକ ତୃତୀୟ ପକ୍ଷ କୃତ୍ରିମ ଉପଗ୍ରହକୁ ନେଇ ଗଠିତ କୋପର୍‌ନିକସ୍‌ ହେଉଛି ଏକ ପୁଞ୍ଜିଭୂତ କୃତ୍ରିମ ଉପଗ୍ରହ ମଣ୍ଡଳ। ଏଥିରେ ସଂଗୃହୀତ ହୋଇ ରହିଥାଏ ବିପୁଳ ପରିମାଣର ଗ୍ଲୋବାଲ୍‌ ଡାଟା। ଏଥିରୁ ପୃଥିବୀର ସ୍ଥିତି ସଂକ୍ରାନ୍ତରେ ନିର୍ଭର ଯୋଗ୍ୟ ସୂଚନା ହାସଲ କରିହୁଏ।

ଇଉରୋପୀୟ କମିସନ୍‌ ତରଫରୁ କୋପରନିକସ୍‌ ସ୍ପେସ୍‌ ପଲିସିର ନିର୍ଦେଶକ ଏବଂ ଇସ୍ରୋର ସାଇଣ୍ଟିଫିକ୍‌ ସେକ୍ରେଟାରି ପି ଜି ଦିବାକର ବେଙ୍ଗାଲୁରୁରେ ସହଯୋଗିତା ଚୁକ୍ତି ସ୍ୱାକ୍ଷର କରିଛନ୍ତି।

କୋପର୍‌ନିକସ୍‌ ସାଟେଲାଇଟ୍‌ର ମୁଖ୍ୟ କାର୍ଯ୍ୟାବଳୀ ହେଉଛି, ଓଜନସ୍ତରକୁ ନଷ୍ଟ କରୁଥିବା ଏର୍ସୋଲ୍‌ର ପରିମାଣ ଚିହ୍ନଟ କରିବା, ଗ୍ଲୋବାଲ୍‌ ଓ୍ଵାର୍ମିଂ ଯୋଗୁଁ ମେରୁଅଞ୍ଚଳର ପର୍ବତ ଶିଖରରୁ ତରଳୁ ଥିବା ବରଫ ଉପରେ ଦୃଷ୍ଟି ରଖିବା, ବାୟୁ ଓ ଜଳର ମାନ ଚିହ୍ନଟ କରିବା, ସମୁଦ୍ର ପତ୍ତନ, ବଣଜଙ୍ଗଲ, ବନ୍ୟା ଓ ଅଗ୍ନିକାଣ୍ଡ ଉପରେ ଦୃଷ୍ଟି ରଖିବା।

୨୦୧୩ରେ ଫାଏଲିନ୍‌ ବତାସ ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଭାରତ କୋପରନିକସ୍‌ର ଜରୁରୀକାଳୀନ ସେବା ବ୍ୟବହାର କରିଥିଲା।

୨୦୧୪ରେ ଆନ୍ଧ୍ରରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କ୍ଷତିର ପରିମାଣ ଆକଳନ କରିବାକୁ କୋପରନିକସ୍‌ ସେବା ଉପଯୋଗ କରାଯାଇଥିଲା।

ଭାରତ ତରଫରୁ ମଧ୍ୟ କୋପର୍‌ନିକସ୍‌ ପ୍ରୋଗ୍ରାମ୍‌କୁ ମାଗଣାରେ ଇସ୍ରୋର ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌ ଓସେନ୍‌ସାଟ୍‌-୨, ସ୍କାଟ୍‌ସାଟ୍‌-୧ରୁ ଡାଟା ନେବା ପାଇଁ ଅନୁମତି ମିଳିବ।

କିନ୍ତୁ, ଏହି ଚୁକ୍ତିରେ ବ୍ୟାବସାୟିକ ହାଇ-ରିଜୋଲ୍ୟୁସନ୍‌ ଡାଟା ସଂଗ୍ରହକୁ ବାଦ ଦିଆଯାଇଛି।

ସମ୍ବନ୍ଧିତ ଖବର