ଦ୍ୱିପାକ୍ଷିକ ଶିଖର ବୈଠକରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନ୍‌; ଉଭୟ ରାଷ୍ଟ୍ର ମଧ୍ୟରେ ୨୫ ଚୁକ୍ତି ସ୍ୱାକ୍ଷରିତ

ମସ୍କୋ/ ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆର ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ଙ୍କ ମଧ୍ୟରେ ଋଷିଆର ଭ୍ଲାଦିଭୋସ୍ତକ ଠାରେ ଆଜି ଦ୍ୱିପାକ୍ଷିକ ଶିଖର ବୈଠକ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ୨୫ଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି।

ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶିଖର ବୈଠକ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି ଯେ କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ବାହାର ରାଷ୍ଟ୍ରର ହସ୍ତକ୍ଷେପକୁ ଉଭୟ ଭାରତ ଓ ଋଷିଆ ବିରୋଧ କରୁଛନ୍ତି। ଏଥିସହ ସାଂପ୍ରତିକ ପରିସ୍ଥିତିରେ ଏକ ବହୁଧ୍ରୁବୀୟ ବିଶ୍ୱର ଆବଶ୍ୟକତା ରହିଥିବା ଉଭୟ ଦେଶ ହୃଦବୋଧ କରୁଛନ୍ତି। ଉଭୟ ରାଷ୍ଟ୍ର ଏବେ ବ୍ରିକସ୍‌ ଏବଂ ଏସ୍‌ସିଓ ପରି ବହୁ ବିଶ୍ୱ ସ୍ତରୀୟ ମଞ୍ଚରେ ଏକାଠି କାର୍ଯ୍ୟ କରୁଛନ୍ତି। ଭାରତ ଓ ଋଷିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଉଭୟ ବନ୍ଧୁତ୍ୱ ଓ ଭାଗିଦାରୀ ଦୃଢ଼ ଓ ସଶକ୍ତ ରହିଥିବା ବେଳେ ଏଥିରେ ଆହୁରି ବହୁ ନୂଆ ନୂଆ କ୍ଷେତ୍ରକୁ ଯୋଡ଼ାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଯୋଗସୂତ୍ରକୁ ବଢ଼ାଇବା ଲକ୍ଷ୍ୟରେ ଭାରତର ଚେନ୍ନାଇ ଠାରୁ ଋଷିଆର ଭ୍ଲାଦିଭୋସ୍ତକ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଏକ ସାମୁଦ୍ରିକ ପଥର ନିର୍ମାଣ ପାଇଁ ଉଭୟ ନେତା ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି। ଏଥିସହ ଉଭୟ ଦେଶ ମଧ୍ୟରେ ରହିଥିବା ବନ୍ଧୁତା କେବଳ ମାତ୍ର ଉଭୟ ଦେଶର ରାଜଧାନୀ ମଧ୍ୟରେ ସୀମାବଦ୍ଧ ନରହି କିପରି ଉଭୟ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚି ପାରିବ, ସେଥିନେଇ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କାଳରେ ବହୁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର