ବିକଶିତ ବିଶ୍ବ ଶିଳ୍ପ ନବଜାଗରଣ ଆବଶ୍ୟକ କରୁଛି: ଭୂପେନ୍ଦ୍ର ଯାଦବ

ଷ୍ଟକ୍‌ହୋମ୍‌ରେ ଭାରତ ଓ ସ୍ବିଡେନ ପକ୍ଷରୁ ଶିଳ୍ପ ପରିବର୍ତ୍ତନ ଆଲୋଚନା

ନୂଆଦିଲ୍ଲୀ : ବିକଶିତ ବିଶ୍ବ କେବଳ ଏକ ଶିଳ୍ପ ପରିବର୍ତ୍ତନ ନୁହେଁ, ବରଂ ଶିଳ୍ପ ନବଜାଗରଣ ଆବଶ୍ୟକ କରୁଛି। ନିଯୁକ୍ତି ଓ ସମୃଦ୍ଧି ସହିତ ସବୁଜ ପରିବେଶ ସୃଷ୍ଟି କରୁଥିବା ଶିଳ୍ପ ବିକାଶର ଆବଶ୍ୟକତା ରହିଛି । ବିକଶିତ ରାଷ୍ଟ୍ରମାନେ ନିଜ ଐତିହାସିକ ଅନୁଭୂତିରୁ, ନେଟ୍‌ ଜିରୋ (ଶୂନ୍ୟ ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ) ଏବଂ କମ୍‌ ଅଙ୍ଗାରକାମ୍ଳ ନିର୍ଗମନକାରୀ ଶିଳ୍ପ ସ୍ଥାପନ ଦିଗରେ ବୈଶ୍ବିକ ପରିବର୍ତ୍ତନର ନେତୃତ୍ବ ନେବା ଉଚିତ୍‌। ଭାରତ ଏବଂ ସ୍ବିଡେନ୍‌ ପକ୍ଷରୁ ଆଜି ଷ୍ଟକହୋମ୍‌ରେ ମିଳିତ ଭାବେ ଶିଳ୍ପ ପରିବର୍ତ୍ତନ ଆଲୋଚନାରେ ଭାଗ ନେଇ ଉଦଘାଟନୀ ଅଭିଭାଷଣରେ ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ।

ଶ୍ରୀ ଯାଦବ କହିଲେ, ୧୯୭୨ରେ ମାନବୀୟ ପରିବେଶ ଉପରେ ମିଳିତ ଜାତିସଂଘ ସମ୍ମିଳନୀ ଆୟୋଜନ କରାଯାଇଥିଲା ଏବଂ ପରିବେଶ ପ୍ରସଙ୍ଗକୁ ଅନ୍ତର୍ଜାତୀୟ ଚିନ୍ତାର ବିଷୟ ଭାବେ କେନ୍ଦ୍ରରେ ରଖିବା ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ଏହି ସମ୍ମିଳନୀର ୫୦ ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ କରାଯାଉଥିବାରୁ ଶ୍ରୀ ଯାଦବ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଜୋର ଦେଇ କହିଥିଲେ ଯେ, ୫୦ ବର୍ଷର ସହଭାଗୀ କାର୍ଯ୍ୟାନୁଷ୍ଠାନକୁ ପାଳନ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ସେହିପରି କ’ଣ ହାସଲ କରାଯାଇଛି ଏବଂ ଆଗକୁ କ’ଣ କରିବାର ଅଛି ସେ ସମ୍ପର୍କରେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଯାଦବ କହିଥିଲେ। ଆଲୋଚନାରେ ସ୍ବିଡେନ ପକ୍ଷରୁ ଜଳବାୟୁ ଓ ପରିବେଶ ମନ୍ତ୍ରୀ ସୁଶ୍ରୀ ଆନିକା ଷ୍ଟାନ୍ଧାଲ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ।

ଏହି ଉଚ୍ଚସ୍ତରୀୟ ଆଲୋଚନା ୨ ଓ ୩ ଜୁନ, ୨୦୨୨ରେ ଆୟୋଜିତ ହେବାକୁ ଥିବା ମିଳିତ ଜାତିସଂଘ ସମ୍ମିଳନୀ ‘ଷ୍ଟକହୋମ+୫୦: ସମସ୍ତଙ୍କ ସମୃଦ୍ଧି ପାଇଁ ଏକ ସୁସ୍ଥ ପୃଥିବୀ-ଆମର ଉତ୍ତରଦାୟିତ୍ବ, ଆମ ସୁଯୋଗ’ କ୍ଷେତ୍ରରେ ଯୋଗଦାନ ଦେଇଛି ଏବଂ ସିଓପି ୨୭ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଛି। କାର୍ଯ୍ୟକ୍ରମ ଅବସରରେ ଲିଡ୍‌ ଆଇଟି ପ୍ରୟାସର ନୂଆ ସଦସ୍ୟ ଜାପାନ ଓ ଦକ୍ଷିଣ ଆଫ୍ରିକାକୁ ସ୍ବାଗତ କରାଯାଇଥିଲା । ଫଳରେ ରାଷ୍ଟ୍ର ଓ କମ୍ପାନିମାନଙ୍କୁ ମିଶାଇ ଲିଡ୍‌ ଆଇଟିର ମୋଟ୍‌ ସଦସ୍ୟ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ଏହି ପ୍ରୟାସ ଅଧୀନରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ସୂଚନା ଦେଇଥିଲେ । ଏଥିରେ ଜ୍ଞାନର ଆଦାନପ୍ରଦାନ ଏବଂ ମିଳିତ ପ୍ରୟାସ ପାଇଁ କ୍ଷେତ୍ର ଆଧାରିତ ରୋଡ ମ୍ୟାପିଂ, କର୍ମଶାଳା, ଶିଳ୍ପାନୁଷ୍ଠାନ କ୍ଷେତ୍ର ପରିଦର୍ଶନ ଆଦି ସାମିଲ ରହିଛି ।

ସମ୍ବନ୍ଧିତ ଖବର