ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସମ୍ମାନରେ ଭାରତରେ ରବିବାର ରାଷ୍ଟ୍ରୀୟ ଶୋକ ପାଳନ ହେବ

ନୂଆଦିଲ୍ଲୀ : ବ୍ରିଟିଶ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକରେ କେବଳ ଇଂଲଣ୍ଡ ନୁହେଁ, ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମ୍ମାନରେ ଆସନ୍ତା ସେପ୍ଟେମ୍ବର ୧୧ ରବିବାରଦିନ ଭାରତ ସରକାର ଏକ ଦିନକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେପ୍ଟେମ୍ବର ୧୧ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ । କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା  ଦିଆଯାଇଛି ।

ଗୁରୁବାର ରାତିରେ ରାଣୀଙ୍କ ପରଲୋକ ପରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକଟ କରିଥିଲେ ।  ନିଜ ଟୁଇଟରେ ମୋଦୀ ଲେଖିଥିଲେ, “ନିଜ ଦେଶ ଓ ଲୋକମାନଙ୍କ ପାଇଁ ସେ ଅନୁକରଣୀୟ ନେତୃତ୍ବ ପ୍ରଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ । ତାଙ୍କ ପରିବାର ଓ ବ୍ରିଟିଶ ଲୋକଙ୍କ ପ୍ରତି ମୋର ସମବେଦନା”

ସୂଚନାଯୋଗ୍ୟ ଯେ, ରାଣୀ ଏଲିଜାବେଥ ପ୍ରଥମ ବ୍ରିଟିଶ ଶାସନମୁଖ୍ୟ ଯିଏ କି ଭାରତର ସ୍ବାଧୀନତା ପରେ ଶାସନଭାର ଗ୍ରହଣ କରିଥିଲେ । ୧୯୫୨ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ନିଜର ଶାସନକାଳ ମଧ୍ୟରେ ସେ ୩ ଥର ଭାରତ ଗସ୍ତରେ ଆସିଥିଲେ । ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତିକୁ ସେ ଭଲ ପାଉଥିଲେ ।

ସମ୍ବନ୍ଧିତ ଖବର