କୋଭିଡ୍‌-୧୯ ‘ହୋମ୍‌ ଟେଷ୍ଟିଙ୍ଗ୍‌-କିଟ୍‌’କୁ ଅନୁମୋଦନ କଲା ଭାରତ, ପ୍ରତି କିଟ୍‌ର ମୂଲ୍ୟ ଟ. ୨୫୦/-

ନୂଆଦିଲ୍ଲୀ: କୋଭିଡ୍‌-୧୯ ନମୁନା ପରୀକ୍ଷା ନିମନ୍ତେ ଭାରତ ପ୍ରଥମ ଥର ପାଇଁ ଏକ ‘ହୋମ୍‌ ଟେଷ୍ଟିଙ୍ଗ୍‌-କିଟ୍‌’କୁ ବୁଧବାର ଦିନ ଅନୁମୋଦନ କରିଛି। ୧୫ ମିନିଟ୍‌ ମଧ୍ୟରେ ଫଳାଫଳ ଜଣାଇ ଦେଉଥିବା ଏହି ‘ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଙ୍ଗ୍‌’ କିଟ୍‌ (ଆର୍‌ଏଟି) ମୂଲ୍ୟ ରହିଛି ୨୫୦ ଟଙ୍କା।

ଅନୁମୋଦନ କରିବା ସହ ଏହି ‘କିଟ୍‌’କୁ କେବଳ କୋଭିଡ୍‌-୧୯ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ‌କ୍ଷେତ୍ରରେ ବ୍ୟବହାର କରିବା ଲାଗି ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ’ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଏହାଛଡ଼ା, ଯଦି କୌଣସି ବ୍ୟକ୍ତି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥାଆନ୍ତି, ସେ ମଧ୍ୟ ଏଥିରେ ତାଙ୍କର ନମୁନା ପରୀକ୍ଷା କରାଇପାରିବେ ବୋଲି ‘ଆଇସିଏମ୍‌ଆର୍‌’ ତା’ର ବିବୃତିରେ କହିଛି।

Image Courtesy of NDTV

ଏହି ‘କିଟ୍‌’ର ନିର୍ମାତା ହେଉଛନ୍ତି ପୁଣେସ୍ଥିତ ‘ମାଇଁଲ୍ୟାବ୍‌ ଡିସ୍କଭରି ସଲ୍ୟୁସନ୍‌ସ୍‌ ଲିମିଟେଡ୍‌’। ଏଥିରେ କେବଳ ‘ନାଜାଲ୍‌ ସ୍ବାବ୍‌’ ବା ନାକରୁ ସଂଗୃହୀତ ନମୁନା ପରୀକ୍ଷା କରାଯାଇ ପାରିବ। ଏଥିରେ ରହିଛି ପୂର୍ବରୁ ପୂର୍ଣ୍ଣ ହୋଇ ରହିଥିବା ଗୋଟାଏ ‘ଏକ୍‌ଷ୍ଟ୍ରାକ୍ସନ୍ ଟିୟୁବ୍‌’, ଗୋଟିଏ ’ଷ୍ଟେରାଇଲ୍‌ ନାଜାଲ୍‌ ସ୍ବାବ୍‌’, ଗୋଟିଏ ‘ଟେଷ୍ଟ୍‌ କାର୍ଡ’ ଏବଂ ଗୋଟାଏ ‘ବାୟୋହାଜାର୍ଡ ବ୍ୟାଗ୍‌’। ‘କିଟ୍‌’ ସହ ଥିବା ‘ୟୁଜର୍ସ ମାନୁଆଲ୍‌’ରେ ରହିଛି ନମୁନା ପରୀକ୍ଷା ପଦ୍ଧତି। ଏହାର ବ୍ୟବହାର ଖୁବ୍‌ ସହଜ ଏବଂ ଏହା ପରିବେଶ ପାଇଁ କ୍ଷତିକାରକ ନୁହେଁ। ପରୀକ୍ଷା ପରେ ଏହି ‘କିଟ୍‌’କୁ ‘ବାୟୋହାଜାର୍ଡ ବ୍ୟାଗ୍‌’ରେ ପୂରାଇ ଫିଙ୍ଗିବାକୁ ପଡ଼ିବ।

ନମୁନା ‘ପଜିଟିଭ୍‌’ ଥିଲେ ଏହି ‘କିଟ୍‌’ ୫ ରୁ ୭ ମିନିଟ୍‌ ମଧ୍ୟରେ ଜଣାଇ ଦେବ। ଯଦି ‘ନେଗେଟିଭ୍‌’ ଥିବ ଖୁବ୍‌ ବେଶୀରେ ୧୫ ମିନଟ୍‌ ମଧ୍ୟରେ ଏଥିରୁ ଫଳାଫଳ ଜଣାପଡ଼ିଯିବ।  ଯଦି କୌଣସି ଫଳାଫଳ ବାହାରିବାକୁ ୨୦ ମିନିଟ୍‌ରୁ ଅଧିକ ଲାଗେ, ତେବେ ତାହାକୁ ‘ଇନ୍‌ଭାଲିଡ୍‌’ ବୋଲି ଧରି ନେବାକୁ ପଡ଼ିବ।

ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଏହି ‘ଟେଷ୍ଟିଙ୍ଗ୍‌-କିଟ୍‌’ ବଜାରରେ ମିଳିବ। ଟିକସ ସମେତ ଏହି ‘କିଟ୍‌’ର ମୂଲ୍ୟ ରଖାଯାଇଛି ୨୫୦ ଟଙ୍କା ମାତ୍ର।

ସମ୍ବନ୍ଧିତ ଖବର