ନୂଆଦିଲ୍ଲୀ: ଭାରତରେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଏହାର ପରିଣାମ ଭୋଗିବା ସୁନିଶ୍ଚିତ। ସୁଂଜୁଓ୍ଵାନ୍ ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ତା’ର ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ସମେତ ଅନେକ ବିକଳ୍ପ ଆମ ହାତରେ ଅଛି ବୋଲି ସେନାମୁଖ୍ୟ ବିପିନ ରାଓ୍ଵତ କହିଛନ୍ତି। ପାକିସ୍ତାନ କେବଳ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟାଇ ଭାରତର କ୍ଷତି ପହଞ୍ଚାଇବାକୁ ଚାହୁଛି ଏବଂ ଏଭଳି ଯୁଦ୍ଧର ମୁକାବିଲା ପାଇଁ ଆମ ପାଖରେ ବିକଳ୍ପର ଅଭାବ ନାହିଁ ବୋଲି ରାଓ୍ଵତ ପାକିସ୍ତାନକୁ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଫେବ୍ରୁଆରି ୧୦ ତାରିଖରେ ସୁଂଜଓ୍ଵାନ ସେନା ଶିବିରରେ ପାକ୍ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ସହିଦ ହୋଇଯାଇଥିଲେ। ଏଥିରେ ୧୦ ଜଣ ଆହତ ମେଧ୍ୟ ହୋଇଥିଲେ। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ସମସ୍ତ ୫ ଆତଙ୍କବାଦୀ ନିପାତ ହୋଇଥିଲେ । ଏହା ସହିତ ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ତୁହାକୁ ତୁହା ଅସ୍ତ୍ରବରିତି ଉଲ୍ଲଂଘନ କରି ଗୁଳିଗୋଳ ବର୍ଷା କରୁଛି । ପାକିସ୍ତାନକୁ ପ୍ରତିଟି ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦିଆଯାଉଛି । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ବନ୍ଦ ନକଲା ପର୍ଯ୍ୟନ୍ତ ଭାରତର କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଲଗାମ ଲାଗିବ ନାହିଁ ବୋଲି ସେନାଧ୍ୟକ୍ଷ ଚେତାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେନା ପାଇଁ ୪୦୦ ଡ୍ରୋନ୍ ଜରୁରୀ, ସଶକ୍ତ ହେବାକୁ ଆଗାମୀ ପିଢ଼ି ଯୁଦ୍ଧାସ୍ତ୍ର ବି ଲୋଡ଼ା
ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀକୁ ଆହୁରି ଦକ୍ଷ ଏବଂ ଶାଣିତ କରିବା ପାଇଁ ଆଗାମୀ ଦଶନ୍ଧି ଭିତରେ ୪୦୦ ସଂଖ୍ୟକ ଡ୍ରୋନ୍ର ଆବଶ୍ୟକତା ରହିଛି। ସେହିପରି ସଶସ୍ତ୍ର ସୈନିକଙ୍କୁ ଅଧିକ ପ୍ରତିପକ୍ଷ ମୁକାବିଲାକ୍ଷମ କରିବା ପାଇଁ ସେମାନଙ୍କୁ ଅତ୍ୟାଧୁନିକ ତଥା ଆଗାମୀ ପିଢ଼ି ଯୁଦ୍ଧାସ୍ତ୍ରରେ ମଧ୍ୟ ସଜ୍ଜିତ କରିବା ଜରୁରୀ ହୋଇପଡ଼ିଛି। ସେଥିରେ ଉଡ଼ାଜାହାଜ ଏବଂ ବୁଡ଼ାଜାହାଜରୁ ନିକ୍ଷେପ ହୋଇପାରୁଥିବା ଚାଳକବିହୀନ ବିମାନ ସମେତ ଶତ୍ରୁପକ୍ଷର ଧ୍ୱଂସ ରଚାଇବା ଭଳି ଉଚ୍ଚଶକ୍ତି ସଂପନ୍ନ ଲେଜର ଏବଂ ମାଇକ୍ରୋେଓ୍ଵଭ୍ କ୍ଷମତାଶୀଳ ଯୁଦ୍ଧାସ୍ତ୍ର ରହିଛି। ଦେଶର ଆକ୍ରମଣାତ୍ମକ ଏବଂ ଆତ୍ମରକ୍ଷାତ୍ମକ ଆଭିମୁଖ୍ୟକୁ ବାସ୍ତବ ରୂପ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପିତ ‘ଟେକ୍ନୋଲୋଜି ପର୍ସ୍ପେକ୍ଟିଭ୍ ଆଣ୍ଡ୍ କାପାବିଲିଟି ରୋଡ୍ମ୍ୟାପ୍-୨୦୧୮’ ପ୍ରସ୍ତାବରେ ଏଭଳି ଆଶା ପୋଷଣ କରାଯାଇଛି।
ପ୍ରତିରକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ୮୨ ପୃଷ୍ଠା ସମ୍ବଳିତ ପ୍ରସ୍ତାବରେ ବୈଷୟିକ ବିକାଶ, ଭାଗୀଦାରିତା ଏବଂ ଉତ୍ପାଦନ ବ୍ୟବସ୍ଥାର ଯୋଜନା ସମ୍ପର୍କରେ ବିସ୍ତତ ବିବରଣୀ ରହିବା ସହ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟକୁ ପ୍ରୋତ୍ସାହିକ କରିବା ଲାଗି ଭାରତୀୟ କମ୍ପାନିଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବାକୁ କୁହାଯାଇଛି। ସମ୍ପ୍ରତି ଆଧୁନିକ ଯୁଦ୍ଧଶୈଳୀ ପାଇଁ ଲକ୍ଷ୍ୟଭେଦ ସମୟ ଓ ନିଶାଣ ନିରୂପଣରେ ଡ୍ରୋନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଶସ୍ତ୍ରବାହିନୀ ପାଇଁ ଅଧିକ ସଂଖ୍ୟାରେ ଡ୍ରୋନ୍ ଆହରଣ ପାଇଁ ପ୍ରାଥମିକତା ଦିଆଯାଇଛି। ବର୍ତ୍ତମାନ ସେନା ପାଖରେ ୨୦୦ ପାଖାପାଖି ଡ୍ରୋନ୍ ମହଜୁଦ ଥିବା ବେଳେ ଆଉ ଦୁଇଗୁଣା ସଂଗ୍ରହ ପାଇଁ ଯୋଜନା ରହିଛି। ଏହି ସ୍ୱତନ୍ତ୍ର ପ୍ରକାର ଡ୍ରୋନ୍ଗୁଡ଼ିକ ୩୦ ହଜାର ଫୁଟ ଉଚ୍ଚରେ ୨୪ ଘଣ୍ଟା ଧରି ଉଡ଼ିପାରିବା ସହ ୨୦ କିମି ଯାଏ ଲକ୍ଷ୍ୟଭେଦ କରିପାରିବ। ଏଥି ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ କେବଳ ସ୍ଥଳସେନା ଏବଂ ନୌସେନା ପାଇଁ ୧୦୦ରୁ ୧୫୦ ସଂଖ୍ୟକ ମିଡଲ୍ ଅଲ୍ଟିିଚ୍ୟୁଡ୍ ଲଙ୍ଗ୍ ଏଣ୍ଡୁରାନ୍ସ(ମେଲ୍) ଡ୍ରୋନ୍ର ଆବଶ୍ୟକତା ରହିଥିବା କୁହାଯାଇଛି। ସେହିପରି ନୌସେନା ମଧ୍ୟ ଲମ୍ବ ଭାବରେ ଆକାଶକୁ ନିକ୍ଷେପ ହୋଇପାରୁଥିବା ୫୦ ସଂଖ୍ୟକ ହାଇ ଅଲ୍ଟିିଚ୍ୟୁଡ୍ ଲଙ୍ଗ୍ ଏଣ୍ଡୁରାନ୍ସ(ହେଲ୍) ଡ୍ରୋନ୍ ଆବଶ୍ୟକ କରୁଛି। ଅପରପକ୍ଷେ, ଆଗାମୀ ଯୁଦ୍ଧକାଳୀନ ସ୍ଥିତି ପାଇଁ ଆବଶ୍ୟକ ହେଉଥିବା ଡାଇରେକ୍ଟେଡ ଏନର୍ଜି ଓ୍ଵିପନ୍(ଡିଉ) ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ଥଳ ସେନା ଓ ବାୟୁସେନା ପାଇଁ ଅତ୍ୟୁଚ୍ଚ ଲେଜର ପ୍ରଣାଳୀ ବିଶିଷ୍ଟ ୨୦ଟି ଡିଉ ଅଣାଯିବ ବୋଲି କୁହାଯାଇଛି। ଏହି ପ୍ରଣାଳୀ ୬ରୁ ୮ କିମି ଭିତରେ ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଏବଂ ରାଡାର ପ୍ରଣାଳୀକୁ ଅକାମୀ କରିଦେବାର କ୍ଷମତା ରଖିବ। ପରେ ଏହାକୁ ବିକଶିତ କରି ଲକ୍ଷ୍ୟଭେଦ ଦୂରତାକୁ ୨୦କିମି ଯାଏ ବଢ଼ାଯିବ ବୋଲି ଯୋଜନା ରହିଛି।