ଚୀନ୍‌କୁ ଜବାବ ଦେବା ପାଇଁ ସେନା ପ୍ରସ୍ତୁତ, ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ସହ ଆପାଚି ଉଡ଼ିଲା

ସୀମା ପରିଚାଳନା ପାଇଁ ରଣନୀତିକ ବୈଠକ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରଠାରୁ ସୀମାରେ ଉତ୍ତେଜନା ଚରମରେ ପହଞ୍ଚିଛି। ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଉଭୟ ପଟୁ ସେନା ମୁତୟନ ବଢ଼ିଛି। ଭାରତ ପରିସ୍ଥିତିକୁ ଦେଖି ବିପୁଳ ସେନା ମୁତୟନ କରିଥିବା ବେଳେ ମିରାଜ, ସୁଖୋଇ ଆଦି ଯୁଦ୍ଧ ବିମାନଗୁଡ଼ିକର ତୁହାକୁ ତୁହା ଉଡ଼ାଣ ଦେଖିବାକୁ ମିଳିଛି। ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ସହ ଆଜି କେତେକ ଆପାଚି ହେଲିକପ୍‌ଟର ମଧ୍ୟ ଉଡ଼ିବା ପରେ ପରିସ୍ଥିତି ଅତି ଗମ୍ଭୀର ବୋଲି ଅନୁମାନ କରାଯାଉଛି। ସୀମାର ସର୍ବାଧିକ ସମ୍ବେଦନଶୀଳ ଅଂଚଳର ଖୁବ୍‌ ନିକଟରେ ଯୁଦ୍ଧ ବିମାନଗୁଡ଼ିକୁ ମୁତୟନ କରାଯାଇଛି। ସୀମା ପରିଚାଳନା ନେଇ ଗତକାଲି ଓ ଆଜି ଦୁଇଟି ପର୍ଯ୍ୟାୟରେ ରଣନୀତିକ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ରହିଥିବା ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ଭାରତ ଯୁଦ୍ଧସ୍ତରରେ ସେନା ମୁତୟନ ଓ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରିବା ପ୍ରକ୍ରିୟା ଜାରି ରଖିଥିବା ବେଳେ ଅଧିକ ସଂଖ୍ୟାରେ ଯୁଦ୍ଧ ବିମାନର ଉପସ୍ଥିତି ଯୋଗୁଁ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି।

ଲେହ ଏୟାରବେସ୍‌ ସମୁଦ୍ର ପତନଠାରୁ ୧୦,୬୦୦ ଫୁଟ ଉଚ୍ଚରେ ଥିବାରୁ ସେଠାରେ ଆପାଚି ହେଲିକପ୍‌ଟର ମୁତୟନ କରାଯାଇଛି। ଆଜି ଗଲୱାନ ଉପତ୍ୟକାଠାରୁ ୫୦ କିମି ଦୂରରେ ଆପାଚି ହେଲିକପ୍‌ଟର ଉଡ଼ିଥିଲା। ଭାରତ ଆମେରିକାରୁ ଶକ୍ତିଶାଳୀ ଆପାଚି ସାମରିକ ହେଲିକପ୍‌ଟର କ୍ରୟ କରିଛି। ଏହା ବିଶ୍ବର ସବୁଠାରୁ ଆଧୁନିକ ଏବଂ ଘାତକ ହେଲିକପ୍‌ଟର ଭାବେ ଜଣାଶୁଣା। ଗଲୱାନ ଘାଟି ଅଂଚଳରେ ଚୀନ୍‌ର ସାମାନ୍ୟତମ ଅତିକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା ବେଳେ ଆଜି ବୋର୍ଡର ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି ଏବଂ ସ୍ୟାଟେଲାଇଟ୍‌ ଛବି ମାଧ୍ୟମରେ ପରିସ୍ଥିତି ଉପରେ ଅହରହ ନଜର ରଖାଯାଉଛି । ଚୀନ୍‌ ପଟୁ ଯେ କୌଣସି ବିପଦର ମୁକାବିଲା କରିବାକୁ ଭାରତର ଶକ୍ତିଶାଳୀ ଯୁଦ୍ଧ ବିମାନ ତୟାର ରହିଥିବାରୁ ସୀମାରେ ଭାରତର ସୁରକ୍ଷା ନୀତି ବଦଳି ଯାଇଛି।

ଗଲୱାନ ଘାଟିକୁ ନେଇ ସ୍ଥିତି ସ୍ପଷ୍ଟ କଲେ ସରକାର, ଚୀନ୍‌ର ଦାବି ନକଲି, ଅତିରଂଜିତ
ନୂଆଦିଲ୍ଲୀ: ଗଲୱାନ ଘାଟି ଉପରେ ଅଧିକାର ନେଇ ଚୀନ୍‌ ଯେଉଁ ଦାବି କରୁଛି ତାହା ଭିତ୍ତିହୀନ, ନକଲି ଏବଂ ଅତିରଂଜିତ ବୋଲି ଆଜି ଭାରତ ସ୍ପଷ୍ଟ କରିଛି। ଗଲୱାନ ଘାଟି ସଂପୂର୍ଣ୍ଣ ଭାବେ ଭାରତର ଅଂଚଳ ହୋଇଥିବାରୁ ଚୀନ୍‌ର ଏଭଳି ଅଯୌକ୍ତିକ ଏବଂ ଅବାସ୍ତବ ଦାବି କେବଳ ବିଭ୍ରାନ୍ତି ଓ ଉତ୍ତେଜନା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଚୀନ୍‌ ଭାରତୀୟ ଅଂଚଳରେ ଅତିକ୍ରମଣ କରି ଯେଉଁ ଚାଲ୍‌ ଖେଳିଥିଲା ତାହାକୁ ଭାରତ ପଣ୍ଡ କରିଦେଇଛି। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି । ଗଲୱାନ ଘାଟିର ସ୍ଥିତି ନେଇ ସ୍ପଷ୍ଟ ଐତିହାସିକ ତଥ୍ୟ ପ୍ରମାଣ ରହିଛି ଏବଂ ଏଲ୍‌ଏସିରେ ଚୀନ୍‌ର ଅତିକ୍ରମଣ ଗ୍ରହଣୀୟ ନୁହେଁ ବୋଲି ବିଦେଶ ମନ୍ତ୍ରାଳୟ କହିଛି। ମେ ୨୦୨୦ରୁ ଚୀନ୍‌ ସେନା ଏଲ୍‌ଏସିରେ ଶାନ୍ତି ନଷ୍ଟ କରିବା ପାଇଁ ଲଗାତାର ଷଡ଼ଯନ୍ତ୍ର କରିଆସୁଛି। ଏହାର ପରିଣାମ ସ୍ବରୂପ ଉଭୟ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଚୀନ୍‌ ସୀମାରେ ପ୍ରୋଟକଲକୁ ଅବମାନା କରି କେତେକ ପଦକ୍ଷେପ ନେଇଛି ଏବଂ ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସୀମାରେ ଚୀନ୍‌ ସେନା ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା, ଚୀନ୍‌ର ଯେ କୌଣସି ଅତିକ୍ରମଣର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର