ଭାରତୀୟ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ: ‘ଅଗ୍ନିପଥ’ ପ୍ରତ୍ୟାହାର ହେବନାହିଁ

ଉପଦ୍ରବକାରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବିନି

ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ହୋଇଛି। ଆଜି ତିନି ସେନାର ବରିଷ୍ଠ ଅଧିକାରୀମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ଯୋଜନା ସଂପର୍କରେ ସରଳ ଭାଷାରେ ବୁଝାଇ ଦେବାସହ କୌଣସି ପରିସ୍ଥିତିରେ ବି ଏହି ନିଯୁକ୍ତି ଯୋଜନା ପ୍ରତ୍ୟାହାର ହେବନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। କିଛି ଉଦ୍‌ଭ୍ରାନ୍ତ ଗୋଷ୍ଠୀର ହିଂସା ଏହି ଯୋଜନାକୁ ରୋକିପାରିବ ନାହିଁ ବୋଲି ସେନାର ଶୀର୍ଷ ଅଧିକାରୀମାନେ କହିଛନ୍ତି। ସ୍ଥଳସେନାର ଲେଫ୍‌ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ ନିୟମିତ ସୈନିକମାନଙ୍କୁ ଯେଭଳି ସୁବିଧା ଓ ଭତ୍ତା ମିଳୁଛି ‘ଅଗ୍ନିବୀର’ଙ୍କ ପାଇଁ ମଧ୍ୟ ସେହି ସମାନ ସୁବିଧା ଉପଲବ୍ଧ ହେବ ଏବଂ ଏଥିରେ ପାତରଅନ୍ତର ନୀତିର ପ୍ରଶ୍ନ ନାହିଁ। ସେବା ସର୍ତ୍ତରେ ଅଗ୍ନିବୀରଙ୍କ ସହିତ କୌଣସି ଭେଦଭାବ ହେବନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ଥଳସେନା ପକ୍ଷରୁ ଲେଫ୍‌ଟନାଣ୍ଟ ଜେନେରାଲ ବଂଶୀ ପୋନପ୍ପୋ, ନୌସେନା ପକ୍ଷରୁ ଭାଇସ୍‌ ଏଡ୍‌ମିରାଲ ଦୀନେଶ ତ୍ରିପାଠୀ ଏବଂ ବାୟୁସେନା ପକ୍ଷରୁ ଏୟାର ମାର୍ସାଲ ସୁରଜ ଝା କହିଛନ୍ତି। ଅଗ୍ନିପଥ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ରଖି ତିନି ସେନାର ଅଧିକାରୀ କହିଥିଲେ ଯେ ଯୁବଗୋଷ୍ଠୀ ଏହି ଯୋଜନା ନେଇ କୌଣସି ବିଭ୍ରାନ୍ତିର ଶିକାର ହେବା ଉଚିତ ନୁହେଁ। କିଛି ଉପଦ୍ରବକାରୀ ବାଧା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ରଣନୀତିକ ଯୋଜନା କୌଣସି ଚାପରେ ପ୍ରଭାବିତ ହେବନାହିଁ ବୋଲି ସେନା ଅଧିକାରୀମାନେ କହିଛନ୍ତି।

ଉପଦ୍ରବକାରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବିନି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଯୋଜନାବଦ୍ଧ ହିଂସା ହେଉଛି। ଏହି ହିଂସାରେ ସଂପୃକ୍ତ ଯୁବକମାନଙ୍କୁ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବାପାଇଁ ସୁଯୋଗ ମିଳିବ ନାହିଁ ବୋଲି ଆଜି ସେନା ସ୍ପଷ୍ଟ କରିବା ସହ ଏ ବାବଦରେ ରଖାଯାଇଥିବା କେତେକ ସର୍ତ୍ତ ବାବଦରେ ସୂଚନା ‌ଦିଆଯାଇଛି । ଯେଉଁମାନଙ୍କ ବିରୋଧରେ ହିଂସାକାଣ୍ଡ ପାଇଁ ମାମଲା ରୁଜୁ ହୋଇଛି ସେମାନଙ୍କ ଆବେଦନ ଗ୍ରହଣୀୟ ହେବନାହିଁ। ଏ ବାବଦରେ ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ହେବ। ଏହା ସହିତ ସେମାନଙ୍କର ପୁଲିସ ଯାଞ୍ଚ ମଧ୍ୟ ହେବ। ହିଂସାରେ ସଂପୃକ୍ତ ଥିବା ଜଣାପଡ଼ିଲେ ସେମାନଙ୍କୁ ସେନାରେ ଭର୍ତ୍ତି ହେବା ସୁଯୋଗ ଦିଆଯିବ ନାହିଁ। ଏହା ସହିତ ପ୍ରତିରକ୍ଷା ମନ୍ତ୍ରାଳୟର ସାମରିକ ବ୍ୟାପାର ବିଭାଗ ପକ୍ଷରୁ ଅଗ୍ନିପଥ ଯୋଜନା ସଂପର୍କରେ ଅଧିକ ସୂଚନା ଦିଆଯାଇଛି। ସେନାବାହିନୀ କହିଲେ ଶୃଙ୍ଖଳାକୁ ବୁଝାଇଥାଏ। ତେଣୁ ଅଗ୍ନିପଥ ଯୋଜନାକାରୀମାନେ ହିଂସା ସଂପର୍କରେ କୌଣସି ପୂର୍ବ ଆକଳନ କରି ନଥିଲେ ବୋଲି କୁହାଯାଇଛି । ଯୁବକମାନେ ରିସ୍କ ନେବାର କ୍ଷମତା ରଖିଥାନ୍ତି। ସେମାନଙ୍କ ମଧ୍ୟରେ ଆବେଗ ଓ ଉତ୍ସାହ ରହିଥାଏ। କିଛି ଯୁବକ ବିଭ୍ରାନ୍ତିର ଶିକାର ହୋଇ ହିଂସାର ମାର୍ଗ ଧରିଛନ୍ତି। ସେମାନଙ୍କୁ ପୁଲିସ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଛି। ଅଗ୍ନିବୀରଙ୍କ ନିଯୁକ୍ତି ସଂଖ୍ୟା ପ୍ରଥମ ପର୍ଯ୍ୟାୟରେ ୪୬ ହଜାର ରହିବ କିନ୍ତୁ ନିକଟ ଭବିଷ୍ୟତରେ ଏହି ସଂଖ୍ୟା ୧.୨୫ ଲକ୍ଷରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି।

ଅଗ୍ନିବୀରର ପ୍ରଥମ ବ୍ୟାଚ ପଞ୍ଜୀକରଣ ପ୍ରକ୍ରିୟା ଚଳିତମାସ ୨୪ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ସୁଦ୍ଧା ସେମାନଙ୍କୁ ସେନାରେ ଭର୍ତ୍ତି କରାଯିବ ଏବଂ ଡିସେମ୍ବର ୩୦ ସୁଦ୍ଧା ସେମାନଙ୍କ ତାଲିମ ଆରମ୍ଭ ହେବ ବୋଲି ଏୟାର ମାର୍ସାଲ ଏସ୍‌କେ ଝା କହିଛନ୍ତି। ଚଳିତବର୍ଷ ନଭେମ୍ବର ୨୧ରୁ ପ୍ରଥମ ନୌସେନା ଅଗ୍ନିବୀରମାନେ ଆଇଏନଏସ ଚିଲିକାରେ ତାଲିମ ପାଇଁ ପହଞ୍ଚିବେ। ଉଭୟ ପୁରୁଷ ଓ ମହିଳା ଅଗ୍ନିବୀରମାନଙ୍କୁ ଏଥିପାଇଁ ଅନୁମତି ମିଳିବ ବୋଲି ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର