କର୍ତ୍ତାରପୁର ଗୁରୁଦ୍ୱାରର ଗମ୍ବୁଜ ଭୁଶୁଡିବା ଘଟଣା: ମରାମତି ଲାଗି ପାକିସ୍ତାନକୁ ଅନୁରୋଧ କଲା ଭାରତ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ନିକଟରେ କର୍ତ୍ତାରପୁର ସାହେବ ଗୁରୁଦ୍ୱାରର ଗମ୍ବୁଜ ଭୁଶୁଡିବା ପ୍ରସଙ୍ଗ ଉଠାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଭାରତ ପାକିସ୍ତାନକୁ ସୂଚନା ଦେଇଛି ଯେ ଗୁରୁଦ୍ୱାରର ନିର୍ମାଣ କ୍ଷତିଗ୍ରସ୍ତ ହେବା ଶିଖ ସମ୍ପ୍ରଦାୟ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ଧର୍ମପୀଠଟିର ଭଗ୍ନ ଅବସ୍ଥା ଶିଖ୍ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି। ଶିଖମାନଙ୍କର ଭାବନାକୁ ସମ୍ମାନ ଜଣାଇ ଗୁରୁଦ୍ବାରରେ ହୋଇଥିବା ନିର୍ମାଣଗତ କ୍ଷତିର ତୁରନ୍ତ ମରାମତି କରାଯାଉ ବୋଲି ଭାରତ ପାକିସ୍ତାନକୁ ଅନୁରୋଧ କରିଛି।

Gulf News

ଗତ ବର୍ଷ ନଭେମ୍ବରରେ, ଦୁଇ ଦେଶ ଗୁରୁଦାସପୁରର ଡେରା ବାବା ସାହେବକୁ ପାକିସ୍ତାନର ଗୁରୁଦ୍ୱାର କର୍ତ୍ତାରପୁର ସାହିବ ସହିତ ସଂଯୋଗ କରୁଥିବା କରିଡର ଖୋଲିଥିଲେ। ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଶେଷ ଥର ପାଇଁ କର୍ତ୍ତାରପୁରରେ ରହୁଥିଲେ।

କର୍ତ୍ତାରପୁର ସାହିବ ଗୁରୁଦ୍ୱାର ପାକିସ୍ତାନର ନରୋୱାଲ ଜିଲ୍ଲାରେ ରାବି ନଦୀ ପାର୍ଶ୍ୱରେ ଅବସ୍ଥିତ, ଡେରା ବାବା ନାନକଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଏହା ଅବସ୍ଥିତ। ସୂତ୍ରରୁ ପ୍ରକାଶ ଯେ ଭାରତ ପାକିସ୍ତାନକୁ ଜଣାଇ ଦେଇଛି ଯେ ଶିଖ ସମ୍ପ୍ରଦାୟର ପବିତ୍ର ସ୍ଥାନକୁ ବିଶ୍ୱାସ ଏବଂ ଭକ୍ତିର ଭାବନାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଏବଂ ପ୍ରଶଂସା କରାଯିବା ଆବଶ୍ୟକ। ଏଠାରେ ସୂଚନା ଥାଉ କି ଦୁଇ ଦିନ ତଳେ ପ୍ରବଳ ବର୍ଷା ସହ ପ୍ରବଳ ପବନ ଯୋଗୁଁ ଗୁରୁଦ୍ୱାର କର୍ତ୍ତାରପୁର ସାହିବରେ ବହୁ ଧ୍ୱଂସ ଘଟାଇଛି। ସୂଚନାନୁସାରେ, ଗୁରୁଦ୍ୱାରର କିଛି ଗମ୍ବୁଜ ବହୁ କ୍ଷତିଗ୍ରସ୍ତ ହୋଇ ଭାଙ୍ଗି ପଡିଛି।

ସମ୍ବନ୍ଧିତ ଖବର