ନୂଆଦିଲ୍ଲୀ : ବ୍ରିଟେନରେ ଖଲିସ୍ତାନୀ କାର୍ଯ୍ୟକଳାପକୁ ପ୍ରେତ୍ସାହନ ମିଳିବା ଦେବା ଏବଂ ଦୂତାବାସ ସମ୍ମୁଖରେ ବିକ୍ଷୋଭକୁ ନେଇ ଭାରତ ସରକାର ବ୍ରିଟେନ ସରକାରଙ୍କ ଆଗରେ ଚିନ୍ତା ପ୍ରକଟ କରିଛନ୍ତି । ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ବଜାୟ ରଖିବା ପାଇଁ ଏଭଳି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଭାରତ ସରକାର ବ୍ରିଟେନ ସରକାରଙ୍କୁ କହିଛନ୍ତି । ବ୍ରିଟେନ ସ୍ଥିତ ଖଲିସ୍ତାନ ସମର୍ଥକ ଉଗ୍ରବାଦୀଙ୍କ ଉପରେ ସତର୍କଦୃଷ୍ଟି ରଖିବା ସହ ଉପଯୁକ୍ତ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ।

Advertisment

ବୁଧବାର ଦିଲ୍ଲୀରେ ପଞ୍ଚମ ଭାରତ-ବ୍ରିଟେନ ଗୃହ ବ୍ୟାପାର ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ସଚିବ ଅଜୟ କୁମାର ଭଲ୍ଲା ଭାରତୀୟ ପ୍ରତିନିଧି ଦଳର ପ୍ରତିନିଧିତ୍ୱ କରିଥିଲେ। ବ୍ରିଟେନ ପକ୍ଷରୁ ଗୃହ କାର୍ଯ୍ୟାଳୟର ସ୍ଥାୟୀ ସଚିବ ସାର୍ ମାଥ୍ୟୁ ରିକ୍ରଫ୍ଟ ପ୍ରତିନିଧିତ୍ବ କରିଥିଲେ। ଅଜୟ କୁମାର ଭଲ୍ଲା ଲଣ୍ଡନସ୍ଥିତ ହାଇ କମିଶନରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ବ୍ରିଟେନର ସ୍ଥାୟୀ ସଚିବଙ୍କ ନିକଟରେ ଉଠାଇଥିଲେ। ଏହା ସହ ଆତଙ୍କବାଦ, ସାଇବର ନିରାପତ୍ତା, ବିଶ୍ୱ ଯୋଗାଣ ଶୃଙ୍ଖଳା, ନିଶା ଦ୍ରବ୍ୟ ଚାଲାଣ, ପ୍ରତ୍ୟର୍ପଣ ଏବଂ ବ୍ରିଟେନରେ ଭାରତ ବିରୋଧୀ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ ।