ନୂଆଦିଲ୍ଲୀ: ଲଦାଖର ଦୌଲତ ବେଗ ଓଲ୍ଡିରୁ ସୈନ୍ୟ ଅପସାରଣ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଚୀନକୁ କହିଛି ଭାରତ। ଦେପସାଙ୍ଗ ସମତଳ ଅଞ୍ଚଳରୁ ସୈନ୍ୟ ଅପସାରଣ ନିମନ୍ତେ ଶନିବାର ଦିନ ଲଦାଖର ଦୌଲତ ବେଗ ଓଲ୍ଡିରେ ଭାରତ ଓ ଚୀନ୍ ମେଜର୍ ଜେନେରାଲ୍ସ୍ତରୀୟ ଆଲୋଚନା ହୋଇଥିବା ବେଳେ ଭାରତ ଚୀନକୁ ସୈନ୍ୟ ଅପସାରଣ କରିବାକୁ କହିଛି। ଦେପସାଙ୍ଗରେ ସମ୍ପ୍ରତି ଉଭୟ ପକ୍ଷର ସୈନ୍ୟ ଚଳାଚଳ ସକ୍ରିୟ ହୋଇଉଠିଛି। ଦେପସାଙ୍ଗ ବିପରୀତ ପାର୍ଶ୍ବରେ ୧୫, ୦୦୦ରୁ ଅଧିକ ଚୀନ୍ ସୈନିକ ଅଛନ୍ତି। ଏହାଛଡ଼ା, ଚୀନ୍ ସେଠାରେ କମାଣ ଓ ତୋପ ଆଦି ଅସ୍ତ୍ର ଠୁଳ କରିଛି।
ସେନାସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଚୀନ୍ ପକ୍ଷର ସେନା ଅପସାରଣ ନିମନ୍ତେ ଉଦ୍ଦିଷ୍ଟ ଏହି ଆଲୋଚନା ଶନିବାର ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହୋଇଥିଲା। ସୈନ୍ୟ ଅପସାରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ଦୁଇ ଆଣିବିକ ଶସ୍ତ୍ର ଅଧିକାରୀ ଦେଶ ମଧ୍ୟରେ ଏହା ଥିଲା ଷଷ୍ଠ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା। ଏହି ଆଲୋଚନାରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ୩ ମାଉଣ୍ଟେନ୍ ଡିଭିଜନ୍ର ଜେନେରାଲ୍ କମାଣ୍ଡିଙ୍ଗ୍ ଅଫିସର୍ ମେଜର ଜେନେରାଲ୍ ଅଭିଜିତ ବାପତ।
/sambad/media/post_attachments/455ad6646fd086aa14abea910f31a404b4a63be4f8bfa88a471aaaa928fc0afb.jpg)
ଶେଷଥର ଲାଗି ଗତ ଅଗଷ୍ଟ ୨ ତାରିଖରେ ଦୁଇ ଦେଶ ମଧ୍ୟରେ କମାଣ୍ଡର୍ସ୍ତରୀୟ ଆଲୋଚନା ହୋଇଥିଲା। ଅଗଷ୍ଟ ୭ ତାରିଖ ଦିନ ଭାଇସ୍ ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ ଏୟାର୍ ମାର୍ସାଲ୍ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଏକାଧିକ ବିମାନଘାଟି ପରିଦର୍ଶନ କରିବା ସହ ସେ ଅଞ୍ଚଳରେ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ବାୟୁସେନାର ଆଭିଯାନିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।