ପାକିସ୍ତାନ ଯଥାଶୀଘ୍ର ପିଓକେ ଖାଲି କରୁ : ଇମ୍ରାନଙ୍କୁ ଭାରତର ଦୃଢ ଜବାବ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କଶ୍ମୀର ପ୍ରସଙ୍ଗ ଉଠାଇଥିବାବେଳେ ତାଙ୍କୁ ଦୃଢ ଜବାବ ଦେଇଛି ଭାରତ । ପାକିସ୍ତାନ ଯଥାଶୀଘ୍ର ପିଓକେ ଖାଲି କରୁ ବୋଲି ଭାରତ ରୋକଠୋକ୍ ଜଣାଇଦେଇଛି ।

ଇମ୍ରାନଙ୍କ ବକ୍ତବ୍ୟର ଜବାବ ରଖି  ଜାତିସଂଘରେ ଅବସ୍ଥାପିତ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀର ସବୁବେଳେ ଭାରତର ଅଭିନ୍ନ ଅଂଗ ହୋଇ ରହିଛି ଓ ରହିବ । ଏହା ମଧ୍ୟରେ ପାକିସ୍ତାନ ଦ୍ବାରା ବେଆଇନ ଭାବେ ଅଧିକୃତ କଶ୍ମୀରର ଅଂଶ ଅନ୍ତର୍ଭୁକ୍ତ । ପାକିସ୍ତାନ ଯଥାଶୀଘ୍ର ପିଓକେରୁ ହଟୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ପାକିସ୍ତାନ ନିଜେ ନିଆଁ ଲଗାଇ ନିଆଁ ଲିଭାଇବାର ଛଳନା କରୁଛି । ପାକିସ୍ତାନରେ ଥିବା ସଂଖ୍ୟାଲଘୁମାନେ ଭୟର ସହ ବଞ୍ଚୁଛନ୍ତି ଓ ପ୍ରଶାସନ ତାଙ୍କ ଅଧିକାରକୁ ଚାପି ଦେଉଛି । ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ଅବଗତ ଅଛନ୍ତି ଯେ ପାକିସ୍ତାନ ସରକାର ଆତଙ୍କବାଦକୁ ପ୍ରେତ୍ସାହନ ଓ ପ୍ରଶ୍ରୟ ଦେଉଛନ୍ତି । ସାରା ବିଶ୍ବ ଜାଣିଛି ଯେ ଏହି ଦେଶ ଖୋଲାଖୋଲି ଆତଙ୍କବାଦୀଙ୍କୁ ତାଲିମ, ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଜାତିସଂଘ ନିରାପତ୍ତା ପରିଷଦ ଦ୍ବାରା ଘୋଷିତ ସର୍ବାଧିକ ସଂଖ୍ୟକ ବିଶ୍ବ ଆତଙ୍କବାଦୀ ପାକିସ୍ତାନରେ ରହୁଛନ୍ତି ।

ନିଜ ଭାଷଣରେ ଇମ୍ରାନ କହିଥିଲେ ଯେ ଭାରତ ସରକାରଙ୍କ ହିନ୍ଦୁତ୍ବ ନୀତି ଯୋଗୁଁ ଭାରତୀୟ ମୁସଲମାନମାନେ ଭୟରେ ରହୁଛନ୍ତି ।

ସମ୍ବନ୍ଧିତ ଖବର