ପାକିସ୍ତାନ, ଚୀନପଟୁ ବଢୁଛି ବିପଦ ଆଶଙ୍କା : ଯଥାଶୀଘ୍ର ଏସ୍‌-୪୦୦ ଯୋଗାଣ ପାଇଁ ଋଷିଆକୁ କହିଲା ଭାରତ

ନୂଆଦିଲ୍ଲୀ : ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମର ଯୋଗାଣକୁ ତ୍ୱରାନ୍ଵିତ କରିବାକୁ ଭାରତ ଋଷିଆକୁ କହିଛି । ଏହି ସିଷ୍ଟମ ପାଇଁ ଭାରତ ଇତି ମଧ୍ୟରେ ୬ ହଜାର କୋଟି ଟଙ୍କାର ଅଗ୍ରୀମ ପ୍ରଦାନ କରିସାରିଛି । ଏଣୁ ଯଥାଶୀଘ୍ର ଏସ-୪୦୦ର ଯୋଗାଣ ପାଇଁ ଭାରତ ଦାବି କରିଛି । ବୁଧବାରଦିନ ମସ୍କୋଠାରେ ଅନୁଷ୍ଠିତ ହେଉଥିବା ୧୯ତମ ଭାରତ-ଋଷିଆ ସାମରିକ ଓ ସାମରିକ ପ୍ରଯୁକ୍ତି ସହଯୋଗ ଆୟୋଗର ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି ।
ପାକିସ୍ତାନ ଓ ଚୀନ ପଟୁ ଭାରତ ଲାଗି ବିପଦ ଆଶଙ୍କା ବଢୁଥିବାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମର ଆବଶ୍ୟକତା ବଢିଯାଇଛି । ଏହି ସିଷ୍ଟମ ଶତ୍ରୁପକ୍ଷର ମିସାଇଲ, ଡ୍ରୋନ, ବିମାନଆଦିକୁ ପ୍ରାୟ ୩୮୦ କିମି ଦୂରରୁ ଧ୍ୱଂସ କରିଦେବ ।
ଅନ୍ୟପକ୍ଷରେ ଧାର୍ଯ୍ୟ ସମୟରେ ଭାରତକୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇବୁ ବୋଲି କହିଛି ଏହାକୁ ନିର୍ମାଣ କରୁଥିବା ଋଷୀୟ କମ୍ପାନି ଆଲମାଜ ଆଣ୍ଟେ ।
ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା) ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ ।

ସମ୍ବନ୍ଧିତ ଖବର