ମଲାକ୍କା ପ୍ରଣାଳୀ ନିକଟରେ ଭାରତ ଓ ଆମେରିକା ନୌସେନାର ଶକ୍ତି ପ୍ରଦର୍ଶନ, ଜାଣନ୍ତୁ ଏହି ଅଞ୍ଚଳର ଗୁରୁତ୍ୱ 

ନୂଆଦିଲ୍ଲୀ :  ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଆପାତତଃ ପ୍ରଶମିତ ହୋଇଥିବା ସତ୍ତ୍ୱେ ଚୀନର ମତିଗତି ବେଶ ସଂଦେହଜନକ ରହିଛି । ଏହି କାରଣରୁ ଭାରତ ପକ୍ଷରୁ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି । ଗତ ସପ୍ତାହରେ ଭାରତୀୟ ନୌସେନା ପକ୍ଷରୁ ଆଣ୍ଡାମାନ ନିକୋବର ଉପକୂଳରେ ଏକ ସମରାଭ୍ୟାସ କରାଯାଇଥିଲା । ଚଳିତ ସପ୍ତାହ ଆରମ୍ଭ ହେଉହେଉ ଭାରତୀୟ ନୌସେନା ଓ ଆମେରିକାର ନୌସେନା ପକ୍ଷରୁ ଏକ ସମରାଭ୍ୟାସ ଆରମ୍ଭ କରାଯାଇଛି । ଦକ୍ଷିିଣ ଚୀନ ସାଗରରୁ ଫେରୁଥିବା ଆମେରିକାର ବିମାନବାହୀ ଯୁଦ୍ଧପୋତ ୟୁଏସଏସ ନିମିଜ ଓ ଆଉ ୪ଟି ଯୁଦ୍ଧ ଜାହାଜ ଏହି ସମରାଭ୍ୟାସରେ ଭାରତୀୟ ନୌସେନା ସହ ଯୋଗ ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ଯେଉଁ ଅଞ୍ଚଳରେ ଏହି ସମରାଭ୍ୟାସ ହେଉଛି ତାହା ସାମରିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମଲାକ୍କା ପ୍ରଣାଳୀ ନିକଟରେ ଅବସ୍ଥିତ । ମାଲେସିଆ ଓ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ମଧ୍ୟରେ ଥିବା ଅଣଓସାରିଆ ସମୁଦ୍ରପଥ ମାଲକ୍କା ଷ୍ଟ୍ରେଟ ଦେଇ ଚୀନ ନୌସେନାର ଯୁଦ୍ଧଜାହଜ ଭାରତ ମହାସାଗରରେ ପ୍ରବେଶ କରୁଛନ୍ତି । ଏହା ହିଁ ସେମାନଙ୍କର ପ୍ରବେଶ ପଥ । ସେହିପରି ପଶ୍ଚିମରେ ଓମାନ ସାଗର ଦେଇ ଚୀନର ତୈଳବାହୀ ଜାହଜ ଗୁଡ଼ିକ ଯାଇଥାନ୍ତି । ଅର୍ଥାତ ଏହି ରାସ୍ତାଟି ଚୀନକୁ ତେଲ ଯୋଗାଇବାର ଏକ ପ୍ରମୁଖ ପଥ । ଏଠାରେ ଯୁଦ୍ଧାଭ୍ୟାସ କରି ଭାରତୀୟ ନୌସେନା ଚୀନକୁ ସଂକେତ ଦେଉଛି ଯେ ଚୀନ କୌଣସି ପ୍ରକାରର ଦୁଃସାହସ କଲେ ଚୀନକୁ ତେଲ ଯୋଗାଣ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ । ଏହି କାରଣରୁ ମଲାକ୍କାକୁ ଚୀନର ଜୀବନରେଖା ବୋଲି କୁହାଯାଏ । ଏଥିପାଇଁ ଚୀନ ଚିନ୍ତାରେ ପଡ଼ିଯାଇଛି ।

ସମ୍ବନ୍ଧିତ ଖବର