ବିଶ୍ୱ କ୍ଷୁଧା ସୂଚକାଙ୍କର ୯୪ ତମ ସ୍ଥାନରେ ଭାରତ, ପୁଷ୍ଟିକର ଖାଦ୍ୟ ପାଇପାରୁନାହାନ୍ତି ଦେଶର ୧୪% ଜନତା

ନୂଆଦିଲ୍ଲୀ : ବିଭିନ୍ନ ଯୋଜନା ସତ୍ତ୍ୱେ ଭାରତ କ୍ଷୁଧାମୁକ୍ତ ହୋଇପାରୁ ନାହିଁ । ଦେଶର ପ୍ରାୟ ୧୪ ପ୍ରତିଶତ ଲୋକ ଏବେ ବି ଦୁଇ ଓଳି ଖାଦ୍ୟ ମୁଠାଏ ପାଇବାକୁ ସଂଗ୍ରାମ କରୁଛନ୍ତି ବୋଲି ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚଆଇ) ପକ୍ଷରୁ କୁହାଯାଇଛି ।

ଆଜି ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ୨୦୨୦ରେ ଭାରତ ୯୪ତମ ସ୍ଥାନରେ ରହିଛି । ଏହି ତାଲିକାରେ ମୋଟ ୧୦୭ଟି ଦେଶ ସ୍ଥାନ ପାଇଛନ୍ତି । ଗତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୧୭ଟି ଦେଶ ସ୍ଥାନ ପାଇଥିବାବେଳେ ଭାରତର ସ୍ଥାନ ଥିଲା ୧୦୨ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତକୁ ଏହି ସୂଚକାଙ୍କର ‘ଗୁରୁତର କ୍ଷୁଧା’ ବର୍ଗରେ ରଖାଯାଇଛି । ଭାରତର ପଡ଼ୋଶୀ ବାଂଲାଦେଶ, ମିଆଁମାର ଓ ପାକିସ୍ତାନ  ଗୁରୁତର କ୍ଷୁଧା ବର୍ଗରେ ଥିଲେ ମଧ୍ୟ ଏହି ଦେଶମାନେ ଭାରତଠାରୁ ଟିକିଏ ଉପରେ ରହିଛନ୍ତି । ବାଂଲାଦେଶ ୭୫ତମ ସ୍ଥାନରେ ଥିବାବେଳେ ମିଆଁମାର ୭୮ତମ ସ୍ଥାନ ଓ ପାକିସ୍ତାନ ୮୮ତମ ସ୍ଥାନରେ ରହିଛି ।

ସେହିପରି ନେପାଳ ଏହି ତାଲିକାର ୭୩ ତମ ସ୍ଥାନ ଓ ଶ୍ରୀଲଙ୍କା ୬୪ ତମ ସ୍ଥାନରେ ରହିଛି । ଏହି ଦୁଇଟି ଦେଶ ମଧ୍ୟମ ଧରଣର କ୍ଷୁଧା ବର୍ଗରେ ସ୍ଥାନ ପାଇଛନ୍ତି ।

ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚଆଇ) ପକ୍ଷରୁ ବିଶ୍ୱର କ୍ଷୁଧା ଓ ପୁଷ୍ଟିହୀନତା ସ୍ଥିତି ସମ୍ପର୍କରେ ନଜର ରଖାଯାଇଥାଏ । ସଂଗଠନ ପକ୍ଷରୁ ପ୍ରତିବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇଥାଏ ।

ଜିଏଚଆଇ ପକ୍ଷରୁ କୁହାଯାଇଛି ଯେ ଭାରତରେ ବିଭିନ୍ନ ଯୋଜନାର ଖରାପ କାର୍ଯ୍ୟାନ୍ଵୟନ ପଦ୍ଧତି, ଉପଯୁକ୍ତ ତଦାରଖର ଅଭାବ, ପୁଷ୍ଟିହୀନତା ସମ୍ପର୍କରେ ସଠିତ ତଥ୍ୟର ଅଭାବ ଓ ବଡ଼ ରାଜ୍ୟମାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୪ ପ୍ରତିଶତ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଇପାରୁନାହାନ୍ତି ।

ସମ୍ବନ୍ଧିତ ଖବର