ମୁହଁ ଖୋଲିଲା ଭାରତୀୟ ସେନା : ଗଲଓ୍ବାନ ସଂଘର୍ଷରେ ୪୫ ଜଣ ଚୀନ ସୈନ୍ୟ ମରିଥିଲେ

ଅଗଷ୍ଟ ୩୧ରେ ଦୁଇଦେଶ ଯୁଦ୍ଧର ଦ୍ବାରଦେଶରେ ପହଞ୍ଚିଯାଇଥିଲେ

ନୂଆଦିଲ୍ଲୀ : ଗତ ବର୍ଷ ହୋଇଥିବା ଗଲଓ୍ବାନ ଉପତ୍ୟାକା ସଂଘର୍ଷ ଘଟଣାରେ ପ୍ରକୃତରେ କେତେ ଜଣ ଚୀନ ସୈନ୍ୟ ମୃତ୍ୟୁବରଣ କରିଥିଲେ, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ଭାରତ ସରକାର ଓ ସେନା ନୀରବତା ଅବଲମ୍ବନ କରିଆସିଥିଲେ । କିନ୍ତୁ ଆଜି ପ୍ରଥମ ଥର ପାଇଁ ଏ ସମ୍ପର୍କରେ ମୁହଁ ଖୋଲିଛି ଭାରତୀୟ ସେନା । ଏହି ସଂଘର୍ଷରେ ୪୫ ଜଣ ଚୀନ ସୈନ୍ୟ ମୃତ୍ୟୁବରଣ କରିଥିଲେ ବୋଲି ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି ।

ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଓ୍ବାଇ.କେ.ଜୋଷୀ କହିଛନ୍ତି ଯେ ଗଲଓ୍ବାନ ଘଟଣାରେ ଚୀନର ପ୍ରାୟ ୪୫ ଜଣ ସୈନ୍ୟ ମୃତ୍ୟୁବରଣ କରିଥିଲେ । ମୃତ୍ୟୁସଂଖ୍ୟା ତାଠାରୁ ବି ଅଧିକ ହୋଇପାରେ ।

ଏହି ଘଟଣା ପରେ ଦୁଇଦେଶ ମଧ୍ୟରେ ସ୍ଥିତି ଅତି ଖରାପ ହୋଇଯାଇଥିଲା । କିନ୍ତୁ ଅଗଷ୍ଟ ୩୧ ଦିନ ସ୍ଥିତି ବିସ୍ଫୋରକ ରୂପ ନେଇଥିଲା । ଦୁଇ ଦେଶ ଯୁଦ୍ଧର ଦ୍ବାରଦେଶରେ ପହଞ୍ଚିଯାଇଥିଲେ । ଭାରତୀୟ ସେନା କୈଳାସ ରେଞ୍ଜ୍ ଶିଖର ଗୁଡ଼ିକୁ ଅଧିକାର କରିନେବା ପରେ ଚୀନ ସେନା ଚକିତ ହୋଇଯାଇଥିଲା । ଭାରତୀୟ ସୈନ୍ୟଙ୍କୁ ସେଠାରୁ ହଟାଇବାକୁ ଚୀନ ସେନା ଏକ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ସତର୍କ ଭାରତୀୟ ସେନା ଚୀନ ସୈନ୍ୟଙ୍କ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲା । ପାହାଡ଼ ଉପରକୁ ଚଢୁଥିବା ଚୀନ ସେନା ଭାରତୀୟ ସୈନ୍ୟଙ୍କ ରେଞ୍ଜରେ ରହିଥିଲେ । କିନ୍ତୁ ସେମାନଙ୍କ ଉପରକୁ ଗୁଳି ନଚଳାଇ ଭାରତ ଯୁଦ୍ଧକୁ ଏଡ଼ାଇଯାଇଥିଲା ।

ସମ୍ବନ୍ଧିତ ଖବର