କରୋନା ଭାଇରସ : ଭାରତୀୟଙ୍କୁ ଆଣିବାକୁ ୨ଟି ବିମାନ ପ୍ରସ୍ତୁତ, କିନ୍ତୁ ଚୀନର ଅନୁମତି ମିଳିବାରେ ବିଳମ୍ବ

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଏବେ ସୁଦ୍ଧା ଚୀନରେ ପ୍ରାୟ ୧୭୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରେଇସାରିଲେଣି । ଆହୁରି ପ୍ରାୟ ୭୭୧୧ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ଚୀନରେ ଥିବା ପ୍ରାୟ ୬୦୦ ଭାରତୀୟଙ୍କୁ ନେଇ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି ।

ଚୀନରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଓ ଏଥିପାଇଁ ବିମାନ ମଧ୍ୟ ପ୍ରସ୍ତୁତ ହୋଇରହିଛି । ତେବେ ସମସ୍ୟା ହେଉଛି ବିମାନ ଯୋଗେ ଭାରତୀୟଙ୍କୁ ଆଣିବାକୁ ଚୀନ ଏବେ ଭାରତକୁ ଅନୁମତି ଦେଇନାହିଁ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଉହାନ ଓ ଅନ୍ୟ ସହରରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଦୁଇଟି ବିମାନ ପଠାଇବାକୁ ଭାରତ ସରକାର ଚୀନକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏ ଉପରେ ଚୀନ ଏପର୍ଯ୍ୟନ୍ତ ଅନୁମତି ଦେଇନାହିଁ । ତେବେ କରୋନା ଭାଇରସ ଯୋଗୁଁ ଚୀନରେ ଫସିରହିଥିବା ଭାରତୀୟ ଛାତ୍ରମାନଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇଚାଲିଛି । ଚୀନରେ ଏକରକମ ଜରୁରୀ ପରିସ୍ଥିତି ଜାରି ହୋଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଛି । ଶୀଘ୍ର ସେମାନଙ୍କ ପାଖରେ ସାହାଯ୍ୟ ନ ପହଞ୍ଚିଲେ ସ୍ଥିତି ସଂଗୀନ ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର