ଭାରତ-ବାଂଲାଦେଶ ମନ୍ତ୍ରୀସ୍ତରୀୟ ଯୁଗ୍ମ ନଦୀ କମିସନ ବୈଠକ

ଭୁବନେଶ୍ବର : ଭାରତ-ବାଂଲାଦେଶ ମନ୍ତ୍ରୀ ସ୍ତରୀୟ ୩୮ତମ ଯୁଗ୍ମ ନଦୀ କମିସନ ବୈଠକ ନୂଆଦିଲ୍ଲୀ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପ୍ରତିନିଧି ଦଳ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନେତୃତ୍ୱରେ ଏବଂ ବାଂଲାଦେଶର ପ୍ରତିନିଧିମାନେ ରାଜ୍ୟ ଜଳଶକ୍ତି ମନ୍ତ୍ରୀ ଶ୍ରୀ ଜାହିଦ୍ ଫାରୁକୀଙ୍କ ନେତୃତ୍ୱରେ ବୈଠକରେ ଯୋଗ ଦେଇଥିଲେ । ବାଂଲାଦେଶର ଜଳସମ୍ପଦ ଉପମନ୍ତ୍ରୀ ଏକେଏମ୍‌ ଏନାମୁଲ ହକ୍ ଶାମିମ୍ ମଧ୍ୟ ତାଙ୍କ ଦେଶର ପ୍ରତିନିଧି ମଣ୍ଡଳୀରେ ରହିଛନ୍ତି । ଯୁଗ୍ମ ନଦୀ କମିସନର ବୈଷୟିକ ଭାବ ବିନିମୟ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଦୀର୍ଘ ବ୍ୟବଧାନରେ ମନ୍ତ୍ରୀସ୍ତରୀୟ ବୈଠକ ବସିଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ଗତ ଅଗଷ୍ଟ ୨୩ ତରିଖ ଦିନ ଜଳସମ୍ପଦ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଉଭୟ ଦେଶର ସ୍ୱାର୍ଥ ଜଡ଼ିତ ଥିବା କେତେକ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେଗୁଡ଼ିକ ମଧ୍ୟରେ କେତେକ ନଦୀରେ ଜଳ ବଣ୍ଟନ, ନଦୀ ଜଳ ଦୂଷିତ ହେଉଥିବା ପ୍ରକ୍ରିୟା, ପଟୁମାଟି ଜମି ଯାଉଥିବା ପ୍ରକ୍ରିୟାର ପରିଚାଳନା, ନଦୀ ବନ୍ଧର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ । ଉଭୟ ପକ୍ଷ କୁଶିୟାରା ନଦୀର ମଧ୍ୟବର୍ତ୍ତୀକାଳୀନ ଜଳ ବଣ୍ଟନ ସମ୍ପର୍କିତ ବୁଝାମଣାପତ୍ର ଚୂଡ଼ାନ୍ତ ରୂପ ଦେଇଥିଲେ । ଉଭୟ ପକ୍ଷ ମଧ୍ୟ ଫେନୀ ନଦୀର ଜଳ ସଂଗ୍ରହ ସ୍ଥାନ ସମ୍ପର୍କିତ ସ୍ଥାନଗୁଡ଼ିକର ଚିହ୍ନଟକୁ ସ୍ୱାଗତ କରିଥିଲେ । ଏହିସବୁ ସ୍ଥାନରୁ ତ୍ରିପୁରାର ସବରୁମ୍ ସହରକୁ ପାନୀୟ ଜଳଯୋଗାଣ ନିମିତ୍ତ ୨ଠ୧୯ ମସିହାରେ ଭାରତ-ବାଂଲାଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ପାରସ୍ପରିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଉଭୟ ଦେଶ ବନ୍ୟା ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ କରିବେ । ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ହେଉଥିବା ବନ୍ୟାର ତଥ୍ୟ ବାଂଲାଦେଶକୁ ଭାରତ ଏଇ ନିକଟରେ ହସ୍ତାନ୍ତର କରିଛି । ଏହା ଫଳରେ ବାଂଲାଦେଶରେ ଅପ୍ରତ୍ୟାଶିତ ଭାବରେ ହେଉଥିବା ବନ୍ୟାର ମୁକାବିଲା କରିହେବ। ଭାରତ ଏବଂ ବାଂଲାଦେଶ ସୀମା ଦେଇ ୫୪ଟି ନଦୀ ପ୍ରବାହିତ ହେଉଛି। ଏଥି ମଧ୍ୟରୁ ଅଗ୍ରାଧିକାର ଭିତ୍ତିରେ ୭ଟି ନଦୀର ଜଳ ବଣ୍ଟନ ନେଇ ରାଜିନାମା କାର୍ଯ୍ୟ ଅଗ୍ରଗତି କରିଛି । ଚଳିତ ଦ୍ୱିପାକ୍ଷିକ ବୈଠକରେ ଆଉ ୮ଟି ନଦୀର ଜଳ ବଣ୍ଟନ ନେଇ ତଥ୍ୟ ଆଦାନ ପ୍ରଦାନରେ ଉଭୟ ପକ୍ଷ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ବୈଷୟିକ ସ୍ତରୀୟ ଯୁଗ୍ମ ନଦୀ ଜଳ କମିସନ ବୈଠକରେ ଏ ସମ୍ପର୍କିତ ଅଧିକ ଆଲୋଚନା ହେବ। ଭାରତ ଏବଂ ବାଂଲାଦେଶ ସୀମାରେ ଥିବା ନଦୀ ଜଳ ବଣ୍ଟନ ନେଇ ଉଭୟ ପକ୍ଷର ସ୍ୱାର୍ଥରେ ୧୯୭୨ ମସିହାରେ ଯୁଗ୍ମ ନଦୀ ଜଳ କମିସନ ଗଠିତ ହୋଇଥିଲା।

ସମ୍ବନ୍ଧିତ ଖବର