ନ୍ୟୁ ଜଲପାଇଗୁଡ଼ି ଏବଂ ଢାକା ମଧ୍ୟରେ ଚଳାଚଳ ଆରମ୍ଭ କଲା ଭାରତ-ବାଂଲାଦେଶ ‘ମିତାଲି ଏକ୍ସପ୍ରେସ୍’

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶକୁ ସଂଯୋଗ କରୁଥିବା ରେଳପଥ ନ୍ୟୁ ଜଲପାଇଗୁଡ଼ି-ଢାକା କ୍ୟାଣ୍ଟନ୍‌ମେଣ୍ଟ୍‌ରେ ଆଜି ‘ମିତାଲି ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ କରିଛି। ଉଭୟ ଦେଶର ରେଳମନ୍ତ୍ରୀମାନେ ‘ମିତାଲି ଏକ୍ସପ୍ରେସ୍‌’ର ଶୁଭଯାତ୍ରା ଆରମ୍ଭ କରାଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟର ଏହା ହେଉଛି ତୃତୀୟ ଯାତ୍ରୀବାହୀ ଟ୍ରେନ୍‌ ସେବା।

୧୩୧୩୨ ନମ୍ବରଧାରୀ ‘ନ୍ୟୁ ଜଲପାଇଗୁଡ଼ି-ଢାକା କ୍ୟାଣ୍ଟନ୍‌ମେଣ୍ଟ୍‌ ଟ୍ରେନ୍‌’ ରବିବାର ଓ ବୁଧବାର କରି ସପ୍ତାହକୁ ୨ ଦିନ ଚଳାଚଳ କରିବ। ଫେରନ୍ତା ଯାତ୍ରା ବେଳେ ଏହି ଟ୍ରେନ୍‌ର ନମ୍ବର ହେବ ୧୩୧୩୧ ‘ଢାକା କ୍ୟାଣ୍ଟନ୍‌ମେଣ୍ଟ୍‌- ନ୍ୟୁ ଜଲପାଇଗୁଡ଼ି’ ମିତାଲି ଏକ୍ସପ୍ରେସ୍‌। ତାହା ସୋମବାର ଓ ଗୁରୁବାର କରି ସପ୍ତାହକୁ ୨ଥର ଚଳାଚଳ କରିବ। ୯ ଘଣ୍ଟାରେ ଏହି ଟ୍ରେନ୍‌ ନ୍ୟୁ ଜଲପାଇଗୁଡ଼ି ଓ ଢାକା କ୍ୟାଣ୍ଟନ୍‌ମେଣ୍ଟ୍‌ ମଧ୍ୟରେ ଥିବା ୫୧୩ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରିବ।

Image Courtesy of India.com

ଏସଂକ୍ରାନ୍ତରେ ଟୁଇଟ୍‌ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲେଖଛନ୍ତି ଭାରତ ଓ ବାଂଲାଦେଶର ସାଧାରଣ ଐତିହ୍ୟ, ସାଧାରଣ ବର୍ତ୍ତମାନ ଏବଂ ସାଧାରଣ ଭବିଷ୍ୟତ ନିମନ୍ତେ। ମହାମହିମ ମହମ୍ମଦ ନୁରୁଲ୍‌ ଇସ୍‌ଲାମ୍‌ ସୁଜନଙ୍କ ସହିତ ନ୍ୟୁ ଜଲପାଇଗୁଡ଼ି (ଭାରତ) ଏବଂ ଢାକା ‘ବାଂଲାଦେଶ) ମଧ୍ୟରେ ‘ମିତାଲି ଏକ୍ସପ୍ରେସ୍‌’ ଚଳାଚଳର ଶୁଭାରମ୍ଭ କଲି।

ଏ ସଂକ୍ରାନ୍ତରେ ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି, ନୂଆ ଟ୍ରେନ୍‌ ଚଳାଚଳ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ସାମାଜିକ-ଆର୍ଥିକ କାର୍ଯ୍ୟକଳାପର ଉନ୍ନତି କରାଇବ। ଏହି ରେଳସେବା ଯାତ୍ରୀମାନଙ୍କର ଯାତ୍ରା ସୁବିଧା କରିବା ସହ ଉତ୍ତର ବଙ୍ଗ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ସହ ସମଗ୍ର ଭାରତର ପର୍ଯ୍ୟଟନସ୍ଥଳୀଗୁଡ଼ିକର ଲାଭବାନ୍‌ କରିବ।

ସମ୍ବନ୍ଧିତ ଖବର