ଭାରତ-ବାଂଲାଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ୱାକ୍ଷରିତ: ଏଣିକି ବଂଲାଦେଶରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଆସିବ ରନ୍ଧନ ଗ୍ୟାସ୍‌

ନୂଆଦିଲ୍ଳୀ: ଭାରତ ଗସ୍ତରେ ଆସିଥିବା ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ-ଆଲୋଚନା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଶନିବାର ୭ଟି ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାବ୍ୟତୀତ ୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେଥିମଧ୍ୟରେ  ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିତରଣ ପାଇଁ ବାଂଲାଦେଶରୁ ଏଲ୍‌ପିଜି ଆମଦାନୀ ପ୍ରକଳ୍ପ ସାମିଲ ରହିଛି । ଜଳ ସଂଶାଧନ, ଯୁବ ବ୍ୟାପାର, ସଂସ୍କୃତି, ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ  ମୋଦୀ-ହସିନା ଦୁଇ ଦେଶ ମଧ୍ୟରେ ବୁଝାମଣା ରଖିବାକୁ ବାର୍ତ୍ତାଳାପ କରିବା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ହସିନାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ କହିଛନ୍ତି ଯେ ‘ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ସଂପର୍କକୁ ପ୍ରାଥମିକତା ଦିଆଯାଉଛି। ଦୁଇ ପଡ଼ୋଶୀ ଦେଶ ଭିତରେ ସୁସଂପର୍କ ସ୍ଥାପନ ଅନ୍ୟ ଦେଶଗୁଡ଼ିକ ପାଇଁ ଆଦର୍ଶ ପାଲଟିଯିବ। ମୁଁ ଖୁସି ଯେ  ଚୁକ୍ତିଗୁଡ଼ିକ ଆମର ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ସୁଦୃଢ଼ କରିବ।’

ଗତ ବର୍ଷ ମୋଦୀ କହିଥିଲେ କି ‘ଦୁଇ ଦେଶ ମିଳିତ ଭାବେ ସମୁଦାୟ ୧୨ଟି ପ୍ରକଳ୍ପ ଲଞ୍ଚ୍‌ କରିଛନ୍ତି। ସେଥିମଧ୍ୟରୁ ୩ଟି ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଯାହାକି ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ମଜବୁତ କରିଛି।’

ଏ ନେଇ ପ୍ରଧାନମନ୍ତ୍ରୀ  ଶେଖ୍‌ ହସିନା କହିଛନ୍ତି, ‘ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସାମୁଦ୍ରିକ ସୁରକ୍ଷା, ଅଣସାମରିକ ପରମାଣୁ ଶକ୍ତି ଓ ବ୍ୟବସାୟ ଆଦି ଦିଗରେ ସଂପର୍କ ଦୃଢ଼ ହୋଇଛି।’

ଉଲ୍ଲେଖଯୋଗ୍ୟ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ୪ ଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ଦିଲ୍ଲୀଠାରେ ପହଞ୍ଚିଛନ୍ତି। ଭାରତ ଓ ବାଂଲାଦେଶରେ ସଂସଦୀୟ ନିର୍ବାଚନ ହେବା ପରେ ଏହା ହସିନାଙ୍କର ପ୍ରଥମ ଭାରତ ଗସ୍ତ।

ସମ୍ବନ୍ଧିତ ଖବର