ଡିଜିଟାଲ ଷ୍ଟ୍ରାଇକ୍‌: ଚୀନ୍‌ର ୧୩୮ଟି ବେଟିଂ ଓ ୯୪ଟି ଋଣ ଆପ୍‌କୁ ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ : ଚୀନ୍‌ ସହ ସଂପର୍କ ଏବଂ ଭାରତ ବିରୋଧୀ ଆଭିମୁଖ୍ୟ ଅଭିଯୋଗରେ ଭାରତ ସରକାର ୧୩୮ଟି ବେଟିଂ ଏବଂ ୯୪ଟି ଋଣ ଆପ୍‌କୁ ଆଜି ତୁରନ୍ତ ନିଷିଦ୍ଧ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରାଳୟର ସୁପାରିସ ଆଧାରରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ଦେଶର ସଂହତି ଏବଂ ସାର୍ବଭୌମତ୍ବ ପ୍ରତି ଏସବୁ ଆପ୍‌ରେ କିଛି ବିଭ୍ରାନ୍ତିକର ତଥ୍ୟ ରହିଥିବାରୁ ଏହା କରାଯାଇଛି। ଗତବର୍ଷ ମଧ୍ୟ ଭାରତ ସରକାର ଚୀନର ୫୪ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରିଥିଲେ। ଭାରତର ନିରାପତ୍ତା ପ୍ରତି ବିପଦ ଆଶଙ୍କାରେ ଏହା କରାଯାଇଥିଲା। ସେହି ଆପ୍‌ଗୁଡ଼ିକ ମଧ୍ୟରେ ଇକ୍ବାଲାଇଜର ଆଣ୍ଡ୍‌ ବାସ୍‌ ବୁଷ୍ଟର, ଟେନସେଣ୍ଟ ଜ୍ରିଭର, ଓନମିୟୋଜି ଚେସ୍ ଏବଂ ଡୁଆଲ ସ୍ପେସ ଲାଇଟ୍ ଆଦି ରହିଥିଲା। ସରକାର ଏହା ମଧ୍ୟ କହିଥିଲେ ଯେ ୫୪ଟି ଆପ୍‌ ୟୁଜରଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବା ସହିତ ଗୁରୁତ୍ବପୂର୍ଣ୍ଣ ଅନୁମତିମାନ ସଂଗ୍ରହ କରି ନେଉଥିଲା। ସେହି ତଥ୍ୟର ଦୁରୁପଯୋଗ କରାଯାଉଥିଲା ଏବଂ ଶତ୍ରୁ ଦେଶଗୁଡ଼ିକରେ ଥିବା ସର୍ଭରକୁ ସେସବୁ ତଥ୍ୟ ପ୍ରେରଣ କରାଯାଉଥିଲା।

୨୦୨୦ ଜୁନରେ ମଧ୍ୟ କେନ୍ଦ୍ର ସରକାର ୫୯ଟି ଆପ୍‌କୁ ନିଷିଦ୍ଧ କରିଥିଲେ ଏବଂ ସେହିବର୍ଷ ଅଗଷ୍ଟ ୧୦ରେ ଏସଂପର୍କିତ ୪୭ଟି କ୍ଲୋନିଂ ଆପ୍‌କୁ ମଧ୍ୟ ବନ୍ଦ କରିଥିଲେ। ଏହାପରେ ସେହିବର୍ଷ ସେପ୍ଟେମ୍ବର ୧ରେ ୧୧୮ଟି ଆପ୍ ଏବଂ ନଭେମ୍ବର ୧୯ରେ ଆଉ ୪୩ଟି ଆପ୍‌କୁ ବନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର