ମୁସଲିମ ଯୁବକଙ୍କୁ କଠୋରପନ୍ଥୀ ବନାଇବା ଅଭିଯୋଗରେ ଜାକିର ନାଇକଙ୍କ ସଂସ୍ଥା ଉପରେ ୫ ବର୍ଷ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ୍)କୁ ବେଆଇନ ଘୋଷିତ କରି ଏହା ଉପରେ ପାଞ୍ଚ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗୃହ ମନ୍ତ୍ରାଳୟ ବୁଧବାର ଦିନ ଜାରି କରିଥିବା ଏକ ଅଧିସୂଚନାରେ କହିଛି, ଆଇଆରଏଫର ସଂସ୍ଥାପକ ଜାକିର ନାଇକଙ୍କ ଭାଷଣଗୁଡ଼ିକ ଆପତ୍ତିଜନକ। ସେ କୁଖ୍ୟାତ ଆତଙ୍କବାଦୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଆସୁଛନ୍ତି। ସେ ଏହା ବି ଘୋଷଣା କରନ୍ତି, ସବୁ ମୁସଲିମ ଆତଙ୍କବାଦୀ ହେବା ଉଚିତ।

ଅଧିସୂଚନାରେ ଆଗକୁ କୁହାଯାଇଛି, ଜାକିର ନାଇକ ଯୁବକମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରନ୍ତି, ଆତ୍ମଘାତୀ ବୋମା ବିସ୍ଫୋରଣକୁ ସଠିକ୍ ବୋଲି ଦାର୍ଶଇଥାଆନ୍ତି । ହିନ୍ଦୁ ଓ ହିନ୍ଦୁଙ୍କ ଦେବତା ଏବଂ ଅନ୍ୟ ଧର୍ମ ବିରୋଧରେ ଆପତ୍ତିଜନକ ପୋଷ୍ଟ କରନ୍ତି, ଯାହା ଅନ୍ୟ ଧର୍ମମାନଙ୍କ ପାଇଁ ଅପମାନଜନକ ହୋଇଥାଏ। ନାଇକ ଭାରତ ଓ ବିଦେଶରେ ରହୁଥିବା ମୁସଲିମ ଯୁବକ ଓ ଆତଙ୍କବାଦୀମାନଙ୍କୁ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ପ୍ରେରିତ କରି ଆସୁଛନ୍ତି। ଗୁଜରାଟ, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର ଓ ଓଡିଶାରେ ଆଇଆରଏଫର ସଦସ୍ୟମାନେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି।

ଏହାର ବହୁ ପ୍ରମାଣ ଅଛି ଯେ ଜାକିର ନାଇକ ଭିଡିଓ ମାଧ୍ୟମରେ ନିଜର ତଥାକଥିତ ଶିକ୍ଷାର ପ୍ରଚାର କରିବା ସହ ବିଭିନ୍ନ ସୋସିଆଲ ମିଡିଆ ଚ୍ୟା‌ନେଲ ମାଧ୍ୟମରେ ବିବାଦୀୟ ଭାଷଣ ଦେଇ ଭାରତରେ ନିଜ ଅନୁଗାମୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥାଏ ବୋଲି ଆତଙ୍କବାଦୀ ନିରୋଧୀ ନ୍ୟାୟାଧୀକରଣଙ୍କ ନିକଟରେ ସଲିସିଟର୍ ଜେନେରାଲ୍ କହିଛନ୍ତି।

ସମ୍ବନ୍ଧିତ ଖବର