ନୂଆଦିଲ୍ଲୀ: ଜେରୁଜେଲମରେ ୧୯୫୩ ମସିହାରେ ସ୍ଥାପିତ ବିଶ୍ୱସ୍ତରୀୟ ପାନ୍-ଇସଲାମିକ ସଙ୍ଗଠନ ହିଜବ୍‌ ଉତ୍‌ ତହରିର୍‌ (ଏଚ୍‌ୟୁଟି)କୁ ଆଜି ଭାରତ  ନିଷିଦ୍ଧ ଘୋଷଣା କରିଛି।  ଜିହାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ସମେତ ସମଗ୍ର ବିଶ୍ୱରେ ‘ଇସ୍‌ଲାମିକ୍‌ ରାଷ୍ଟ୍ର’ ସ୍ଥାପନ କରିବା ଲକ୍ଷ୍ୟ ନେଇ ଏହି  ଚରମପନ୍ଥୀ ସଂଗଠନ କାମ କରୁଥିବାରୁ ଗୁରୁବାର ଏହାକୁ ସରକାର ନିଷିଦ୍ଧ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରିକରି କହିଛି ଯେ ଆଇଏସ୍ (ଇସ୍‌ଲାମିକ ଷ୍ଟେଟ୍‌) ଭଳି ଆତଙ୍କବାଦୀ ସଂଗଠନରେ ଯୋଗଦେବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବାରେ  ଏଚ୍‌ୟୁଟି ବ୍ୟାପକ ଭାବେ ସମ୍ପୃକ୍ତ। 

Advertisment

 କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପୋଷ୍ଟରେ କୁହାଯାଇଛି ଯେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ଅନୁସରଣ କରି ଗୃହ ମନ୍ତ୍ରାଳୟ ଆଜି ହିଜବ୍‌ ଉତ୍‌ ତହରିର୍‌କୁ  ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଏବଂ ଭାରତରେ ଏହି ସଂଗଠନକୁ ନିଷିଦ୍ଧ କରାଯାଇଛି। ଏହି ଇସ୍‌ଲାମିକ ସଂଗଠନ ଯୁବକମାନଙ୍କୁ ଉଗ୍ରବାଦୀ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରିବା ସମେତ ବିଭିନ୍ନ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତ କରୁଥିବା ପ୍ରମାଣ ମିଳିଛି। ଏହା ଭାରତର ଜାତୀୟ ନିରାପତ୍ତା ଏବଂ ସାର୍ବଭୌମତ୍ୱ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରୁଛି। ଆତଙ୍କବାଦର ଶକ୍ତିକୁ ଦୃଢ଼ ହସ୍ତରେ ମୁକାବିଲା କରି ଭାରତକୁ ସୁରକ୍ଷିତ ରଖିବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସୁରକ୍ଷିତ ଆପ୍ ବ୍ୟବହାର କରି ଏବଂ ନିରୀହ ଯୁବକମାନଙ୍କୁ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ହେବାକୁ ପ୍ରୋତ୍ସାହିତ କରିବା ପାଇଁ ହିଜବ୍‌ ଉତ୍‌ ତହରିର ଗୁପ୍ତ ବୈଠକ ଆୟୋଜନ କରିଥିବା ପ୍ରମାଣ ମିଳିଛି।  ଗୃହ ମନ୍ତ୍ରଣାଳୟ କହିଛି ଯେ ଏଚ୍‌ୟୁଟି ହେଉଛି ଏକ ସଂଗଠନ ଯାହା ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରମାନଙ୍କୁ ଉଚ୍ଛେଦ କରି ଭାରତ ସମେତ ବିଶ୍ୱସ୍ତରରେ ଇସ୍‌ଲାମିକ୍ ଷ୍ଟେଟ୍ ତଥା ଖଲିଫା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।

ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ, ୧୯୬୭ ଅନୁଯାୟୀ ଏଚ୍‌ୟୁଟିକୁ ନିଷିଦ୍ଧ ସଂଗଠନ ଘୋଷଣା କରିବା ସହ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଘୋଷଣା କରାଯାଇଛି। ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ମଙ୍ଗଳବାର ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଏହି ସଂସ୍ଥାର ଜଣେ ସଦସ୍ୟକୁ ଗିରଫ କରିଛି। ଏହି ମାମଲାରେ ଏନ୍‌ଆଇଏ ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ବିଚ୍ଛିନ୍ନତାବାଦର ପ୍ରଚାର ଏବଂ କଶ୍ମୀରକୁ ମୁକ୍ତ କରିବା ପାଇଁ ପାକିସ୍ତାନଠାରୁ ସାମରିକ ସହାୟତା ଲୋଡ଼ିବା ପାଇଁ ସକ୍ରିୟ ଭାବେ ନିୟୋଜିତ ଥିଲେ ବୋଲି ଏନ୍‌ଆଇଏ କହିଛି।  ଏହି ଷଡ଼୍‌ଯନ୍ତ୍ରର ମୂଳ ଉଦ୍ଦେଶ୍ୟ ଥିଲା ହିଂସାତ୍ମକ ଜିହାଦ କରି ଭାରତ ସରକାର ବିରୋଧରେ କ୍ଷେତ୍ର ପ୍ରସ୍ତୁତ କରିବା ଏବଂ ଇସ୍‌ଲାମିକ ରାଷ୍ଟ୍ର ପାଇଁ ଯୁବ ଗୋଷ୍ଠୀରେ ଉନ୍ମାଦନା ଭରିବା। ସୂଚନାଯୋଗ୍ୟ, ଏଚ୍‌ୟୁଟିର ମୁଖ୍ୟାଳୟ ଲେବାନନ୍‌ରେ ରହିଛି ଏବଂ ଏହା ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ଅତି କମରେ ୩୦ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି। ଇସ୍ରାଏଲ ଏବଂ ଇହୁଦୀଙ୍କ ବିରୋଧରେ ହୋଇଥିବା ଆକ୍ରମଣକୁ ସମର୍ଥନ କରି ବିଶ୍ବବ୍ୟାପୀ ଘୃଣାର ପ୍ରସାର କରିବାରେ ଏହି ସଂଗଠନ ଅହରହ କାମ କରୁଛି।  ପୂର୍ବରୁ ମଧ୍ୟ ଅନେକ ଦେଶ ଏଚ୍‌ୟୁଟିର ବିନାଶକାରୀ କାର୍ଯ୍ୟକଳାପ ପାଇଁ ଏହାକୁ  ନିଷିଦ୍ଧ କରିଛନ୍ତି। ଜର୍ମାନୀ, ଇଜିପ୍ଟ, ବ୍ରିଟେନ ଏବଂ ଅନେକ  ଏସୀୟ ଓ ଆରବ ଦେଶ ଏହି ସଂଗଠନକୁ ନିଷିଦ୍ଧ କରିସାରିଛନ୍ତି।