ଚୀନକୁ ପଛରେ ପକାଇ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ମହିଳା ଆୟୋଗକୁ ନିର୍ବାଚିତ ହେଲା ଭାରତ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ଜାତିସଂଘରେ ଚୀନକୁ ପଛରେ ପକାଇଦେଇଛି ଭାରତ । ଜାତିସଂଘ ଅଧିନସ୍ଥ ଅର୍ଥନୈିତିକ ଓ ସାମାଜିକ ପରିଷଦ (ଇକୋସୋକ) ର ଏକ ମର୍ଯ୍ୟାଦାଜନକ ସଂସ୍ଥା ଜାତିସଂଘ ମହିଳାଙ୍କ ସ୍ଥିତି ଆୟୋଗ (ୟୁଏନସିଏସଡବ୍ଲୁ)କୁ ନିର୍ବାଚିତ ହୋଇଛି ।

ଏହି ସଂଗଠନ ପାଇଁ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଦୁଇଟି ଦେଶ ନିର୍ବାଚିତ ହେବାର ଥିଲା । ଏହି ତିନୋଟି ଆସନ ପାଇଁ ଚୀନ, ଭାରତ, ଆଫଗାନିସ୍ତାନ ସମେତ ଆଉ କିଛି ଏସୀୟ ଦେଶ ଥିଲେ । ତେବେ ମୋଟ ୫୪ଟି ଭୋଟରୁ ଭାରତ ୩୮ଟି ପାଇଥିଲା । ସେହିପରି  ଆଫଗାନିସ୍ତାନ ୫୪ଟି ଭୋଟରୁ ୩୯ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଚୀନ ୫୪ଟିରୁ ମାତ୍ର ୨୭ଟି ଭୋଟ ପାଇଥିଲା ।

ଏହି ନିର୍ବାଚନ ପରେ ଆସନ୍ତା ୪ ବର୍ଷ ପାଇଁ ଅର୍ଥାତ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ଭାରତ  ଏହି ସଂଗଠନର ସଦସ୍ୟ ରହିବ । ଜାତିସଂଘର ଏହି ସଂସ୍ଥା ବିଶ୍ୱରେ ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟକରିଥାଏ ।

ଗତ ଜୁନ ୧୮ ତାରିଖରେ ଭାରତ ଜାତିସଂଘର ସବୁଠାରୁ ଶକ୍ତିଶାଳୀ ସଂଗଠନ ନିରାପତ୍ତା ପରିଷଦର ଏକ ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଥିଲା । ମୋଟ ୧୯୨ରୁ ୧୮୪ଟି ଭୋଟ ପାଇଁ ଭାରତ ବିପୁଳ ବିଜୟ ସହ ନିର୍ବାଚିତ ହୋଇଥିଲା ।

ସମ୍ବନ୍ଧିତ ଖବର