ଚୀନର ମୁକାବିଲା ପାଇଁ କଶ୍ମୀରରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ମିଳିଥିବା ସୂଚନା ଅନୁସାରେ ଚୀନ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ କରିବା ପରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଭାରତ ମଧ୍ୟ ସୀମାରେ ଶକ୍ତିଶାଳୀ ଟି-୯୧ ଟ୍ୟାଙ୍କ ମୁତୟନ କରିଛି । ଲଢୁଆ ବିମାନ ଓହ୍ଲାଇବା ଓ ଉଡ଼ାଣ ପାଇଁ କଶ୍ମୀର ଘାଟିରେ ଥିବା ଜାତୀୟ ରାଜପଥକୁ ରନୱେ ଭାବେ ଉପଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ଜମ୍ମୁ ଓ କଶ୍ମୀରର ଅନନ୍ତନାଗସ୍ଥିତ ବିଜବିହାରା ଠାରେ ସାଢେ ୩ କିଲୋମିଟର ଲମ୍ବ ଏକ ଜରୁରୀକାଳୀନ ରନୱେର ନିର୍ମାଣ ଆରମ୍ଭ ହୋଇଛି । ଏନଏଚଏଆଇକୁ ଏହି ଜରୁରୀକାଳୀନ ରନୱେ ପାଇଁ ଠିକା ଦିଆଯାଇଛି । ଏନଏଚଏଆଇ ପକ୍ଷରୁ ଏବେ ଏହି ରନୱେ ପାଇଁ ମାଟିଖୋଳା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଏହି ରନୱେ ଭାରତୀୟ ବାୟୁସେନାର ବ୍ୟବହାର ଉପଯୋଗୀ ହୋଇଯିବ । ତେବେ ଭାରତ-ଚୀନ ବିବାଦ ସହ ଏହି ରନୱେର କୌଣସି ସଂପର୍କ ନାହିଁ ବୋଲି ଭାରତୀୟ ଅଧିକାରୀମାନେ କହିଛନ୍ତି । ଏହି ରନୱେ ପାଇଁ ପୂର୍ବରୁ ଯୋଜନା ଥିଲା ଓ ଗତ ମାର୍ଚ୍ଚ କିମ୍ବା ଏପ୍ରିଲରେ କାମ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହି କାମକୁ ସ୍ଥଗିତ ରଖାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ଏହା ସଂପୂର୍ଣ ହେବା ପରେ କଶ୍ମୀର ଘାଟିରେ ୩ୟ ରନୱେ ହେବ । ପୂର୍ବରୁ ଶ୍ରୀନଗର ଓ ଅୱନ୍ତିପୁରାରେ ବାୟୁସେନାର ରନୱେ ରହିଛି ।

ସମ୍ବନ୍ଧିତ ଖବର