ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ପରସ୍ପର ମଧ୍ୟରେ ହାତ ମିଶାଇ ଭାରତକୁ ଘେରିବା ପାଇଁ ଉଦ୍ୟମ ଆରମ୍ଭ କରିବା ସହ ପରୋକ୍ଷ ଯୁଦ୍ଧ ଧମକ ଦେବା ଆରମ୍ଭ କରିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତ ପକ୍ଷରୁ ବ୍ୟାପକ ପ୍ରସ୍ତତି ଆରମ୍ଭ ହୋଇଛି। ଏହି କ୍ରମରେ ଭାରତ ୩୯,୦୦୦ କୋଟି ଟଙ୍କା (୫.୫ ବିଲିୟନ୍ ଆମେରିକୀୟ ଡଲାର) ମୂଲ୍ୟର ୫ଟି ଅତ୍ୟାଧୁନିକ ଏସ୍-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଋଷିଆ ଠାରୁ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ କରିବାକୁ ଯାଉଛି।
ଏହି ଅତ୍ୟାଧୁନିକ ଏସ୍-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଭାରତୀୟ ସେନା ବାହିନୀରେ ସାମିଲ ହେଲେ ଦେଶର ପ୍ରତିରକ୍ଷା ସୁଦୃଢ଼ ହେବା ସହ ଦେଶର ଆକାଶ ମାର୍ଗ ମଧ୍ୟ ଶତ୍ରୁମୁକ୍ତ ହୋଇପାରିବ ବୋଲି ସାମରିକ ବିଶାରଦମାନେ କହିଛନ୍ତି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ଏହି ଅତ୍ୟାଧୁନିକ ଏସ୍-୪୦୦ ଟ୍ରାୟମ୍ଫ ମିସାଇଲ୍ ଶତ୍ରୁ ସମସ୍ତ ପ୍ରସ୍ତୁତି ଓ ପ୍ରାକ୍ ଯୋଜନାକୁ ଠାବ କରି ସେଗୁଡ଼ିକୁ ଧ୍ୱଂସ କରିବାର କ୍ଷମତା ରଖୁଥିବା ବେଳେ, ଆକାଶ ମାର୍ଗରେ ଆସୁଥିବା ଶତ୍ରୁ ପକ୍ଷର ଗୁଇନ୍ଦା ବିମାନ, ଡ୍ରୋନ୍ ସମେତ ଯୁଦ୍ଧ ବିମାନକୁ ଠାବ କରି ଅବିଳମ୍ବେ ଧ୍ୱଂସ କରି ପାରିବ। ଆକାଶ ମାର୍ଗରେ ୩୦ କିଲୋମିଟର ପରିଧି ଓ ୪୦୦ କିଲୋମିଟର ଉଚ୍ଚତା ମଧ୍ୟରେ ଏହା ଶତ୍ରୁ ପକ୍ଷକୁ ପଶିବାକୁ ଦେବ ନାହିଁ। ଏପରିକି ଆକାଶ ମାର୍ଗରୁ ଆସୁଥିବା ଆଣବିକ ଯୁଦ୍ଧାସ୍ତ୍ରକୁ ମଧ୍ୟ ଏହା ଧ୍ୱଂସ କରି ପାରିବ। ଏହି ମିସାଇଲ୍କୁ ଭୂପୃଷ୍ଠରେ ରହିଥିବା ଏହାର ପରିଚାଳନା କକ୍ଷରୁ ନିୟନ୍ତ୍ରିତ କରାଯାଇ ପାରିବ।
/sambad/media/post_attachments/wp-content/uploads/2018/01/S-400_Air_Defense_System-300x83.jpg)
ଅତ୍ୟାଧୁନିକ ଏସ୍-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବାର ୨୪ ମାସ ମଧ୍ୟରେ ଏହାର ଉତ୍କ୍ଷେପଣ କେନ୍ଦ୍ର ଓ ପରିଚାଳନା କକ୍ଷ ସବୁକୁ ଋଷିଆ ପ୍ରତିଷ୍ଠା କରିବା ସହ ୫୪ ମାସ ମଧ୍ୟରେ ମିସାଇଲ୍ ଯୋଗାଇଦେବ ବୋଲି ଚୁକ୍ତିରେ ଉଲ୍ଲେଖ ରହିଛି ବୋଲି ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଋଷିଆ ୟୁକ୍ରେନ୍ ସୀମାନ୍ତରେ ଏହି ଅତ୍ୟାଧୁନିକ ଏସ୍-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ପ୍ରତିଷ୍ଠା କରି ନିଜ ଦେଶକୁ ଶତ୍ରୁ କବଳରୁ ସୁରକ୍ଷିତ ରଖି ପରିଛି। ସେହି ଦୃଷ୍ଟିକୋଣରୁ ଏବେ ସବୁ କଥାରେ ଆଣବିକ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନକୁ ଉଚିତ୍ ଜବାବ୍ ଦେବା ସହ ଦେଶର ସମସ୍ତ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ସହର ସବୁକୁ ଶତ୍ରୁ ଆକ୍ରମଣ କବଳରୁ ରକ୍ଷା କରିପାରିବ ବୋଲି ସାମରିକ ବିଶାରଦମାନେ କହିଛନ୍ତି। କାରଣ,ଗୋଟିଏ ଅତ୍ୟାଧୁନିକ ଏସ୍-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲ୍ ଶତ୍ରୁପକ୍ଷର ୧୦୦ରୁ ୩୦୦ ପର୍ଯ୍ୟନ୍ତ ଗୁପ୍ତ ଆଡ୍ଡାକୁ ଠାବ କରି ସେଗୁଡ଼ିକୁ ଧ୍ୱଂସ କରିବାର କ୍ଷମତା ରଖିଛି।