ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଅଣ୍ଟା ଭିଡ଼ିଲା ଭାରତ: ରୁଷିଆ-ଚୀନ୍-ପାକିସ୍ତାନ ଅମଙ୍ଗ

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଅଢ଼େଇ ବର୍ଷ ବିତିଗଲାଣି। ହଜାର ହଜାର ଲୋକଙ୍କ ମୃତ୍ୟୁ ସତ୍ତ୍ବେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଶେଷ ହେଉନାହିଁ। ଏହି କାରଣରୁ ସମଗ୍ର ବିଶ୍ୱ ବର୍ତ୍ତମାନ ଯୁଦ୍ଧ ବନ୍ଦ କରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସରେ ନିୟୋଜିତ ହୋଇଛି।

ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ପାଇଁ ବିଶ୍ୱର ୧୦୦ରୁ ଅଧିକ ଦେଶ ଏକ ପ୍ଲାଟଫର୍ମରେ ଏକାଠି ହୋଇଛନ୍ତି। ଶନିବାରଠାରୁ ସ୍ୱିଜରଲ୍ୟାଣ୍ଡରେ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହେବ। ଏହି ସମ୍ମିଳନୀରେ ପ୍ରାୟ ୧୦୦ ପ୍ରଧାନମନ୍ତ୍ରୀ ଏବଂ ଦେଶର ଅନ୍ୟ ଉଚ୍ଚ ସ୍ତରୀୟ ପ୍ରତିନିଧୀ ତଥା ଆନ୍ତର୍ଜାତୀୟ ସଂଗଠନ ଅଂଶଗ୍ରହଣ କରୁଛନ୍ତି। ଏହି କମିଟିରେ ଭାରତ ମଧ୍ୟ ସାମିଲ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୁଷିଆ ଏବଂ ଚୀନ୍ ୟୁକ୍ରେନ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରୁନାହାନ୍ତି। କିନ୍ତୁ କୌଣସି ବିଷୟରେ ଚିନ୍ତା ନକରି ଭାରତ ଏଥିରେ ଯୋଗ ଦେଇଛି। ରୁଷିଆ କ’ଣ ଭାବିବ ସେନେଇ ଭାରତ ଚିନ୍ତିତ ନୁହେଁ। ସ୍ୱିଜରଲ୍ୟାଣ୍ଡର ଲୁସେର୍ନ ସହର ନିକଟ ବରଗେନଷ୍ଟକ୍ ରିସର୍ଟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ୟୁକ୍ରେନ ଶାନ୍ତି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ପୱନ କପୁରଙ୍କ ଦ୍ୱାରା ଭାରତ ପ୍ରତିନିଧିତ୍ୱ କରୁଛି। ଏକମାତ୍ର ଦକ୍ଷିଣ ଏସୀୟ ଦେଶ ଭାବେ ଭାରତ ଏହି ୟୁକ୍ରେନ ଶାନ୍ତି ସମ୍ମିଳନୀରେ ଭାଗ ନେଇଛି। ଚୀନ୍ ଏବଂ ପାକିସ୍ତାନ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇନାହାନ୍ତି।

ଏହି ୟୁକ୍ରେନ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକର ତାଲିକା ବାହାରିଛି। ଏହି ସମ୍ମିଳନୀରେ ମୋଟ ୯୦ ରୁ ଅଧିକ ଦେଶ ସେମାନଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧା ୟୁରୋପର। ମିଳିତ ଜାତିସଂଘ ସମେତ ଅନେକ ସଂଗଠନ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଶିଖର ସମ୍ମିଳନୀରେ ରୁଷିଆକୁ ନିମନ୍ତ୍ରଣ କରାଯାଇ ନାହିଁ। ସ୍ୱିଜରଲ୍ୟାଣ୍ଡ ଚୀନ୍ ଏବଂ ପାକିସ୍ଥାନକୁ ନିମନ୍ତ୍ରଣ ପଠାଇଥିଲା। କିନ୍ତୁ ଦୁହେଁ ନିଜ ଇଚ୍ଛାରେ ଏହି ଶିଖର ସମ୍ମିଳନୀରେ ଯୋଗ ଦେଉନାହାନ୍ତି। ଦୁହେଁ ରୁଷିଆକୁ ସମର୍ଥନ କରୁଛନ୍ତି।

ୟୁକ୍ରେନ ଶାନ୍ତି ସମ୍ମିଳନୀକୁ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଚୀନ୍ କାହିଁକି ଯୋଗ ଦେଉନାହିଁ ତାହା ପ୍ରକାଶ କରିଛି। ଚୀନ୍ କହିଛି ଶାନ୍ତି ସମ୍ମିଳନୀରେ ୟୁକ୍ରେନର ଏକପାଖିଆ ଉପସ୍ଥିତି ଅର୍ଥହୀନ ହୋଇଯିବ। ବେଜିଂ କହିଛି ଏକ ଆଲୋଚନା ପରିବର୍ତ୍ତେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଶାନ୍ତି ସୂତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ଲାଟଫର୍ମ। ରୁଷିଆକୁ ସମର୍ଥନ କରି ପାକିସ୍ତାନ ମଧ୍ୟ ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ମନା କରିଦେଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ଉଭୟ ପାକିସ୍ତାନ ଏବଂ ଚୀନ୍ ରୁଷିଆକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି। ରୁଷିଆ ଏହି ଶିଖର ସମ୍ମିଳନୀରେ ଯୋଗ ଦେଉ ନ ଥିବାରୁ ସେମାନେ ଏହି ଶିଖର ସମ୍ମିଳନୀକୁ ଯାଇ କୌଣସି ବିପଦ ମୁଣ୍ଡେଇବାକୁ ଚାହୁଁନାହାନ୍ତି।

ତେବେ ଭାରତ ନିଜର ସାହସ ଦେଖାଇଛି। ଏହି ସମ୍ମିଳନୀରେ ଯୋଗଦେଇଛି। କୌଣସି ଦେଶ ଏହା ଉପରେ କି ପ୍ରକାର ମତାମତ ରଖିବେ ସେନେଇ ଭାରତ ଚିନ୍ତିତ ନୁହେଁ। ଆରମ୍ଭରୁ ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ଶାନ୍ତି ପ୍ରତିଷ୍ଠା କରିଆସୁଛି। ବିଭିନ୍ନ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଦୋହରାଇଛନ୍ତି ଯେ କେବଳ ଆଲୋଚନା ମାଧ୍ୟମରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ଫେରି ଆସିପାରିବ। ରୁଷିଆ ଭାରତର ଅତି ଘନିଷ୍ଠ ଏବଂ ଭଲ ବନ୍ଧୁ ହୋଇପାରିଛି।

କିନ୍ତୁ ଯେତେବେଳେ ବିଶ୍ୱ ଶାନ୍ତି ଏବଂ ମାନବିକତା କଥା ଆସେ, ସେତେବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଭାରତ ଚୀନ୍ ଏବଂ ପାକିସ୍ଥାନ ପରି ନିରପେକ୍ଷ ରହିବାକୁ ଚେଷ୍ଟା କରିନାହିଁ। ଯେତେବେଳେ ଦୁନିଆର ଦୁଇ ଦେଶ ନିଜ ମଧ୍ୟରେ ଯୁଦ୍ଧ କରୁଛନ୍ତି ସେତେବେଳେ ନିରପେକ୍ଷ ରହିବାର କୌଣସି ଅର୍ଥ ନାହିଁ। ଏହି କାରଣରୁ ଭାରତ ଏହି ଶିଖର ସମ୍ମିଳନୀରେ ଭାଗ ନେଉଛି ବୋଲି ଭାରତୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ପୱନ କପୁର କହିଛନ୍ତି।

 

ସମ୍ବନ୍ଧିତ ଖବର