ନୂଆଦିଲ୍ଲୀ: ନା ଡରିଛନ୍ତି ନା ପୁଟିନଙ୍କୁ କଲ୍ କରିଛନ୍ତି ମୋଦୀ। ନାଟୋ ସଚିବ ଜେନେରାଲ ମାର୍କ ରୁଟଙ୍କ ଦାବି ଉପରେ ଏଭଳି ପ୍ରତିକ୍ରିୟା ଦେଲା ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ଏହି ସମୟରେ ଆମେରିକା ନେତୃତ୍ୱରେ ଥିବା ୩୨ ରାଷ୍ଟ୍ର ବିଶିଷ୍ଟ ମେଣ୍ଟ ନାଟୋ ସଚିବ ଜେନେରାଲ ମାର୍କ ରୁଟ୍ ଦାବି କରିଥିଲେ ଯେ, ଟ୍ରମ୍ପଙ୍କ ଶୁଳ୍କ ରୁଷ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ଏବଂ ଭାରତ ଏବେ ଫୋନ୍ କଲ୍ ମାଧ୍ୟମରେ ରୁଷ ସହିତ ଯୋଗାଯୋଗ କରୁଛି।

Advertisment

ମାର୍କ ରୁଟ୍ ଏକ ସାକ୍ଷାତକାର ସମୟରେ ଏହି ଦାବି କରି କହିଥିଲେ, "ଭାରତ ଉପରେ ଟ୍ରମ୍ପଙ୍କ ଶୁଳ୍କ ରୁଷ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି। ଫୋନ୍ କଲ୍ ମାଧ୍ୟମରେ ନୂଆଦିଲ୍ଲୀ ପୁଟିନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ୟୁକ୍ରେନ ଉପରେ ତାଙ୍କର ରଣନୀତି ସ୍ପଷ୍ଟ କରିବାକୁ ଅନୁରୋଧ କରୁଛନ୍ତି। କାରଣ ଶୁଳ୍କର ଛାଟ ଭାରତକୁ ମଧ୍ୟ ପ୍ରଭାବିତ କରୁଛି।"   

ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପ ସମ୍ପର୍କରେ ନାଟୋ ମହାସଚିବ ମାର୍କ ରୁଟ ଦେଇଥିବା ବିବୃତି ଆମେ ଦେଖିଛୁ। ଏହି ବିବୃତି ତଥ୍ୟଗତ ଭାବରେ ଭୁଲ ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ। ପ୍ରଧାନମନ୍ତ୍ରୀ ମୋଦୀ ଶୁଳ୍କ ଲାଗିବା ଡରରେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇନାହାଁନ୍ତି। ଏପରି କିଛି ଘଟିନାହିଁ।"  

vladimir-putin | donald-trump | pm modi