ନ୍ୟୁୟର୍କ: ଇଜ୍ରାଏଲୀୟ ସ୍ପାଇୱେର୍ ‘ପେଗାସସ୍’ ଏବଂ ଏକ ‘ମିସାଇଲ୍ ସିଷ୍ଟମ୍’ ୨୦୧୭ରେ ଭାରତ ଏବଂ ଇଜ୍ରାଏଲ୍ ମଧ୍ୟରେ ହୋଇଥିବା ପ୍ରାୟ ୨ ବିଲିୟନ୍ ଡଲାର୍ ରାଜିନାମାର ପ୍ରଧାନ ସାମଗ୍ରୀ ଥିଲା ବୋଲି ‘ନ୍ୟୁୟର୍କ ଟାଇମ୍ସ୍’ରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି।
‘ଦି ବ୍ୟାଟଲ୍ ଫର୍ ୱାଲର୍ଡସ୍ ମୋଷ୍ଟ୍ ପାୱାର୍ଫୁଲ୍ ସାଇବର୍ୱିପନ୍’ ଶୀର୍ଷକ ‘ଦି ନ୍ୟୁୟର୍କ ଟାଇମ୍ସ୍’ର ଉକ୍ତ ରିପୋର୍ଟ ଅନୁସାରେ, ପ୍ରାୟ ଏକ ଦଶନ୍ଧି ହେବ ଇଜ୍ରାଏଲୀୟ କମ୍ପାନି ‘ଏନ୍ଏସ୍ଓ ଗ୍ରୁପ୍’ ଆଗୁଆ ପ୍ରାପ୍ୟ ନେଇ ସମଗ୍ର ବିଶ୍ବରେ ‘ଆଇନ ପ୍ରଣୟନ ଏବଂ ଗୁଇନ୍ଦା ଏଜେନ୍ସି’ମାନଙ୍କୁ ଉକ୍ତ ‘ସର୍ଭିଲେନ୍ସ୍ ସଫ୍ଟୱେର୍’ ବିକ୍ରୟ କରିଆସୁଛି। କିନ୍ତୁ, ଏହାକୁ କୌଣସି ଘରୋଇ କମ୍ପାନି ଏମିତି କି, ପ୍ରାଦେଶିକ ଗୁଇନ୍ଦା ଏଜେନ୍ସିଙ୍କୁ ମଧ୍ୟ ବ୍ୟବହାର କରାଇ ନ ଦେବାକୁ କମ୍ପାନି ସର୍ତ୍ତ ରଖିଛି। ମାତ୍ର, ଯେକୌଣସି ଆଇଫୋନ୍ କିଂବା ଏଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍କୁ କ୍ରାକ୍ କରି ସେଥିରୁ ‘ଏନ୍କ୍ରିପ୍ଟେଡ୍ କମ୍ୟୁନିକେସନ୍’ ସଂଗ୍ରହ ପାଇଁ ଏହାକୁ ଆଇନ ଅନୁଯାୟୀ ବ୍ୟବହାର କରିହେବ ବୋଲି କମ୍ପାନି କହିଛି।
ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜ୍ରାଏଲ୍ ଗସ୍ତରେ ଯାଇଥିଲେ।
/sambad/media/post_attachments/wp-content/uploads/2022/01/pegasus.jpg)
ଦଶନ୍ଧି ଦଶନ୍ଧି ଧରି ଭାରତ ‘ପାଲେଷ୍ଟେନୀୟଙ୍କ ସ୍ବାର୍ଥ ଲାଗି ପ୍ରତିବଦ୍ଧ’ ବୋଲି କୁହାଯାଉଥିବା ନୀତି ଅବଲମ୍ବନ କରିଛି। ଭାରତ ସହ ଇଜ୍ରାଏଲ୍ର ସମ୍ପର୍କ ମଧ୍ୟ ସୁସ୍ପଷ୍ଟ ନୁହେଁ। କିନ୍ତୁ, ଇଜ୍ରାଏଲ୍ର ଏକ ସ୍ଥାନୀୟ ବେଳାଭୂମିରେ ମୋଦୀ ଓ ନେତାନ୍ୟହୁ ଖାଲି ପାଦରେ ଚାଲୁଥିଲେ ସୁଦ୍ଧା ସୌଜନ୍ୟମୂଳକ ବୋଲି କୁହାଯାଉଥିବା ମୋଦୀଙ୍କ ଗସ୍ତ ଥିଲା ଅତ୍ୟନ୍ତ ସତର୍କତାମୂଳକ।
ସେମାନେ ହର୍ଷୋତ୍ଫୁଲ୍ଲିତ ହେବାର କାରଣ ମଧ୍ୟ ଥିଲା। ‘ପେଗାସସ୍’ ଏବଂ ଏକ ‘ମିସାଇଲ୍ ସିଷ୍ଟମ୍’ ସମେତ ପ୍ରାୟ ୨ ବିଲିୟନ୍ ଆମେରିକୀୟ ଡଲାର୍ ପ୍ୟାକେଜ୍ର ଅନ୍ୟ କେତେକ ସୂକ୍ଷ୍ମ ଅସ୍ତ୍ରଶସ୍ତ୍ର ଏବଂ ଗୁଇନ୍ଦା ଉପକରଣ କିଣାବିକା ଲାଗି ସେମାନଙ୍କ ଦେଶ ଚୁକ୍ତି କରିଥିଲା।
ଏହାର କିଛି ମାସ ପରେ ନେତାନ୍ୟହୁ ମଧ୍ୟ ଭାରତ ଗସ୍ତରେ ଯାଇଥିଲେ। ଏକ ପାଲେଷ୍ଟାଇନୀୟ ମାନବ ଅଧିକାର ସଂଗଠନ ଆପତ୍ତି ସତ୍ତ୍ବେ ୨୦୧୯ ଜୁନ୍ରେ ଭାରତ ପ୍ରଥମ ଦେଶ ଭାବେ ଜାତିସଂଘର ‘ଆର୍ଥିକ ଓ ସାମାଜିକ ପରିଷଦ୍’ରେ ଇଜ୍ରାଏଲ୍କୁ ସପକ୍ଷରେ ଭୋଟ୍ ଦେଇଥିଲା।
କିନ୍ତୁ, ଭାରତ ସରକାର ଏପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।