ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଭାରତ ଆସୁଥିବା ଦୁଇ ବିମାନ

ନୂଆଦିଲ୍ଲୀ : ଦୁବାଇ ଆକାଶରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେଉ ହେଉ ଅଳ୍ପକେ ରହିଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଭାରତ ଅଭିମୁଖେ ଆସୁଥିବା ଏମିରେଟ୍ସ ଏୟାରର ଦୁଇଟି ବିମାନ ।  ଘଟଣାଟି ଘଟିଥିଲା ଗତ ସପ୍ତାହରେ । ଏ ନେଇ ୟୁଏଇର ବିମାନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି ଭାରତର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ।

ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ ଦୁବାଇ ଏୟାରପୋର୍ଟରୁ ଏମିରେଟ୍ସ ଏୟାରର ଗୋଟିଏ ବିମାନ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିଲା । କିନ୍ତୁ ଏହି ସମୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ଟେକ-ଅଫ୍ ବନ୍ଦ କରିବାକୁ କହିଥିଲେ । କାରଣ ଠିକ ସେହି ସମୟରେ ରନଓ୍ବେରେ ଏମିରେଟ୍ସ ଏୟାରର ଆଉ ଏକ ବିମାନ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିଲା । ବେଙ୍ଗାଲୁରୁ ଫ୍ଲାଇଟକୁ ଆଗୁଆ ଉଡ଼ାଣ ଅନୁମତି ଦିଆଯାଇଥିବାବେଳେ ହାଇଦ୍ରାବାଦ ଅଭିମୁଖୀ ବିମାନକୁ କିଛି ସମୟ ଅଟକାଯାଇଥିଲା । ଠିକ ସମୟରେ ଉଡ଼ାଣ ବନ୍ଦ କରିନଥିଲେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେବାର ଆଶଙ୍କା ଥିଲା । ଦୁଇଟି ଯାକ ବିମାନରେ ଅଧିକାଂଶ ଯାତ୍ରୀ ଭାରତୀୟ ଥିଲେ । ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣାକୁ ଏଡ଼ାଇଦିଆଯାଇଥିଲା । ଏହି ଘଟଣାକୁ ଏମିରେଟ୍ସ ପକ୍ଷରୁ ସ୍ବୀକାର କରାଯିବା ସହ ଏକ ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କେଉଁ କାରଣରୁ ଏପରି ହେଲା ଓ କେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ପରେ ଜଣାପଡ଼ିବ ।

 

ସମ୍ବନ୍ଧିତ ଖବର