ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଧ୍ୟରେ ଆଜି ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟମନ୍ତ୍ରୀ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି। ଭାରତ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ତାଙ୍କ ବ୍ରିଟେନ ପ୍ରତିପକ୍ଷ ଜୋନାଥନ ରେନଲ୍ଡସ ରାଜିନାମାରେ ଦସ୍ତଖତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ତାଙ୍କ ବ୍ରିଟେନ ପ୍ରତିପକ୍ଷ କେୟର ଷ୍ଟାର୍ମର୍ ମଧ୍ୟ ଉପସ୍ଥିତ ଥିଲେ।
ପ୍ରାୟ ୩ ବର୍ଷର ଆଲୋଚନା ପରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଚଳିତବର୍ଷ ମେ ମାସରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଦ୍ବିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ବିଗୁଣିତ କରି ୧୨୦ ବିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ଏହି ବାଣିଜ୍ୟ ରାଜିନାମାରେ ରଖାଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ପରିମାଣ ୫୬ ବିଲିୟନ ଡଲାର ରହିଛି। ଏହି ମୁକ୍ତ ବାଣିଜ୍ୟ ରାଜିନାମାର ନାମ ‘ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା’ ରହିଛି। ରାଜିନାମା ଫଳରେ ବ୍ରିଟେନରେ ଚମଡ଼ା ସାମଗ୍ରୀ, ବୈଦ୍ୟୁତିକ ଉପକରଣ ଏବଂ ରାସାୟନିକ ସାମଗ୍ରୀ ଆଦି ବିନା ଶୁଳ୍କରେ ପହଞ୍ଚି ପାରିବ। ଗୋଆ ଫେନି (ଏକ ପ୍ରକାର ପାନୀୟ), କୋହ୍ଲାପୁରୀ ଚପଲ, ପଣସ, ବାସମତି ଚାଉଳଠାରୁ ଆରମ୍ଭ କରି ବୟନ ସାମଗ୍ରୀ ଆଦି କ୍ଷେତ୍ରରେ ଭାରତ ଲାଭବାନ ହେବ।
ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି ଯେ ୯୯ ପ୍ରତିଶତ ରପ୍ତାନି ବିନା ଶୁଳ୍କରେ ବ୍ରିଟେନରେ ପହଞ୍ଚି ପାରିବ। ଶ୍ରମଭିତ୍ତିକ କ୍ଷେତ୍ର ପାଇଁ ପ୍ରାୟ ୨୩ ବିଲିୟନ ଡଲାରର ସୁଯୋଗ ସୃଷ୍ଟି କରିବ। ଫଳ, ପରିବା, ମସଲା ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ସାମଗ୍ରୀ ବିନା ଶୁଳ୍କରେ ବ୍ରିଟେନ ବଜାରରେ ଏଫ୍ଟିଏ ଦ୍ବାରା ପହଞ୍ଚି ପାରିବ। ୯୫ ପ୍ରତିଶତରୁ ଅଧିକ କୃଷିଜାତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଅର୍ଥାତ ଭାରତରେ ଉତ୍ପାଦନ ହେଉଥିବା ବିଭିନ୍ନ ଶସ୍ୟ, ହଳଦୀ, ମରିଚ, ଗୁଜରାତି, ରେଡି-ଟୁ-ଇଟ୍ ଫୁଡ୍, ଆଚାର ଏବଂ ଡାଲି ଆଦି ସାମଗ୍ରୀ ବିନା ଶୁଳ୍କରେ ବ୍ରିଟେନକୁ ରପ୍ତାନି କରାଯାଇ ପାରିବ। କୃଷି ସାମଗ୍ରୀ ବ୍ୟତୀତ ମତ୍ସ୍ୟ ସାମଗ୍ରୀ କ୍ଷେତ୍ର ମଧ୍ୟ ଲାଭବାନ ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡ଼ୁର ବ୍ୟବସାୟୀମାନେ ଏହାଦ୍ବାରା ବ୍ରିଟେନର ସାମୁଦ୍ରିକ ଖାଦ୍ୟ ବଜାରରେ ସହଜରେ ପ୍ରବେଶ କରିପାରିବେ। ସେହିଭଳି ମହାରାଷ୍ଟ୍ରର ଚାଷୀମାନେ ଅଙ୍ଗୁର ଓ ପିଆଜ, ଗୁଜରାଟର ଚାଷୀମାନେ ବାଦାମ ଓ କପା, ପଞ୍ଜାବ ଓ ହରିୟାଣାର ଚାଷୀମାନେ ବାସମତି ଚାଉଳ, କେରଳର ଚାଷୀମାନେ ମସଲା ଏବଂ ଉତ୍ତରପୂର୍ବ ରାଜ୍ୟର ଚାଷୀମାନେ ଫଳରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବ୍ରିଟେନକୁ ସହଜରେ ରପ୍ତାନି କରିପାରିବେ।
ଶୁଳ୍କ ହଟିବା ପରେ ଭାରତର ମହିଳା ଉଦ୍ୟୋଗୀମାନେ ବୟନଶିଳ୍ପ, ଚମଡ଼ା ସାମଗ୍ରୀ ଏବଂ ଚପଲ ଆଦି କ୍ଷେତ୍ରରେ ବ୍ରିଟେନର ୨୩ ବିଲିୟନ ଡଲାର ମୂଲ୍ୟର ବଜାରରେ ପ୍ରବେଶ କରିବା ସୁଯୋଗ ପାଇବେ। ମହାରାଷ୍ଟ୍ର କୋହ୍ଲାପୁରର ମହିଳାମାନେ ତିଆରି କରୁଥିବା ପ୍ରସିଦ୍ଧ ଚପଲ ବ୍ରିଟେନ ବଜାରରେ ସହଜରେ ବିକ୍ରି ହୋଇପାରିବ। ବାରାଣସୀର ବୟନସାମଗ୍ରୀ ମଧ୍ୟ ଅଧିକ ମାତ୍ରାରେ ବିକ୍ରି ହେବାର ସୁଯୋଗ ସୃଷ୍ଟି ହେବ। ଆଜିର ରାଜିନାମା ଫଳରେ ଭାରତରୁ ବ୍ରିଟେନକୁ ରପ୍ତାନି ହେଉଥିବା ଶ୍ରମଭିତ୍ତିକ ସାମଗ୍ରୀ ଯଥା ଚମଡ଼ା, ଚପଲ ଏବଂ ପୋଷାକ ଆଦି ଉପରେ ଶୁଳ୍କ କମିବ। ସେହିଭଳି ବ୍ରିଟେନରୁ ଆସୁଥିବା ହ୍ବିସ୍କି ଏବଂ ଅଟୋମୋବାଇଲ ଉପରେ ମଧ୍ୟ ଭାରତ ଆମଦାନି ଶୁଳ୍କ କମାଇବ। ଉକ୍ତ ରାଜିନାମା କାର୍ଯ୍ୟକାରୀ ହେବା ପାଇଁ ବ୍ରିଟିସ ସଂସଦର ସ୍ବୀକୃତି ଆବଶ୍ୟକ। ଏଥିପାଇଁ ପ୍ରାୟ ୧ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।
କ’ଣ ଲାଭ ମିଳିବ
-ଭାରତରୁ ବ୍ରିଟେନକୁ ହେଉଥିବା ୯୯% ସାମଗ୍ରୀ ରପ୍ତାନି ଉପରୁ ଶୁଳ୍କ ହଟିଯିବ
- ଭାରତକୁ ବ୍ରିଟେନ ରପ୍ତାନି କରୁଥିବା ସାମଗ୍ରୀ ଉପରେ ଶୁଳ୍କ ୧୫%ରୁ ୩ ପ୍ରତିଶତକୁ ହ୍ରାସ ପାଇବ। ଫଳରେ ଭାରତରେ ସେସବୁ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।
-ସାମଗ୍ରୀ ସମେତ ସେବା ବ୍ୟବସାୟ ଏବଂ ନିବେଶ ପାଇଁ ରହିଥିବା ନିୟାମକ କଟକଣାକୁ କୋହଳ କରାଯିବ।
-ବ୍ରିଟେନରୁ ଆମଦାନି ହେଉଥିବା ହ୍ବିସ୍କି ଓ ଜିନ୍ ଉପରେ ଶୁଳ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫୦%ରୁ ୭୫%କୁ କମାଇ ଦିଆଯିବ। ଏହା ପରେ ଗୋଟିଏ ଦଶନ୍ଧି ମଧ୍ୟରେ ଏହାକୁ ୪୦%କୁ ହ୍ରାସ ପାଇବ।
-ଅଟୋମୋବାଇଲ ଉପରେ ଲାଗୁ ହେଉଥିବା ଶୁଳ୍କରେ ବଡ଼ଧରଣର ହ୍ରାସ (୧୦୦%ରୁ ୧୦%କୁ) କରାଯିବ।
ମିଳିତ ସମୃଦ୍ଧିର ଏକ ଯୋଜନା: ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ଉକ୍ତ ରାଜିନାମା କେବଳ ଏକ ଅର୍ଥନୈତିକ ରାଜିନାମା ନୁହେଁ ବରଂ ଦୁଇ ଦେଶର ମିଳିତ ସମୃଦ୍ଧି ପାଇଁ ଏକ ଯୋଜନା। ଗୋଟିଏ ପଟେ ଏହା ଭାରତର ବୟନସାମଗ୍ରୀ, ଚପଲ, ମୂଲ୍ୟବାନ ପ୍ରସ୍ତର ଓ ଗହଣା, ସାମୁଦ୍ରିକ ଖାଦ୍ୟ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ନିମନ୍ତେ ବ୍ରିଟେନରେ ବଜାର ସୁଯୋଗ ସୃଷ୍ଟି କରିବ। ଭାରତର କୃଷିଜାତ ସାମଗ୍ରୀ ଓ ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ ପାଇଁ ମଧ୍ୟ ଭାରତ ଲାଗି ବ୍ରିଟେନ ବଜାରରେ ନୂଆ ସୁଯୋଗ ଆଣିବ। ବିଶେଷତଃ ଭାରତୀୟ ଯୁବବର୍ଗ, କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ରାଜିନାମା ଲାଭ ପହଞ୍ଚାଇବ। ଅନ୍ୟପକ୍ଷରେ ବ୍ରିଟେନରେ ନିର୍ମିତ ମେଡିକାଲ ଡିଭାଇସ ଭଳି ସାମଗ୍ରୀ ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଏହାଦ୍ବାରା ଭାରତୀୟ ଲୋକମାନେ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।