ବଢିଚାଲିଛି ସୀମା ସେପଟୁ ପାକିସ୍ତାନର ଗୁଳିବର୍ଷଣ, ସୀମାରେ ରହୁଥିବା ଲୋକଙ୍କ ପାଇଁ ବଙ୍କର ନିର୍ମାଣ କରିବେ ସରକାର

ନୂଆଦିଲ୍ଲୀ : ସୀମାରେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ବଢିଚାଲିଥିବାବେଳେ ଭାରତୀୟ ସେନା ମଧ୍ୟ ତାହାର ଉଚିତ ଜବାବ ଦେଉଛି । ତଥାପି ସୀମା ସେପଟୁ ଗୁଳିବର୍ଷଣ କମୁନାହିଁ । ଏହା ଫଳରେ ସୀମାରେ ଥିବା ଗାଁରେ ରହୁଥିବା ନିରୀହ ଲୋକ ଓ ଗୃହପାଳିତ ପଶୁ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି । ଏସବୁ ଲୋକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର ଏବେ ସୀମାରେ ସାଧାରଣ ଲୋକମାନଙ୍କ ପାଇଁ ବଙ୍କର ନିର୍ମାଣ କାମ ହାତକୁ ନେଇଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ-କାଶ୍ମୀର ବ୍ୟାପାର ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ । ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୧୨୫୨ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବାରୁ ସୀମାବର୍ତ୍ତୀ ଇଲାକାର ଲୋକଙ୍କ ସୁରକ୍ଷା ପାଇଁ ଆନ୍ତର୍ଜାତିକ ସୀମାରେଖା (ଇଣ୍ଟରନ୍ୟାସନାଲ ବର୍ଡର) ଏବଂ ନିୟନ୍ତ୍ରଣ ରେଖା ବଙ୍କର ନିର୍ମାଣ ତ୍ୱରାନ୍ୱିତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କଠୁଆ, ସାମ୍ବା, ଜମ୍ମୁ, ରାଜୌରୀ ଏବଂ ପୁଞ୍ଚ୍ ଜିଲ୍ଲାରେ ୧୪ ହଜାରରୁ ଅଧିକ ବଙ୍କର ନିର୍ମାଣ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୪୧୫ କୋଟି ଟଙ୍କା ମଂଜୁର କରିଥିଲା । ଜୁଲାଇ ମାସରୁ ୧୪୩୧ ଗୋଷ୍ଠୀ ଏବଂ ୧୩ ହଜାର ବ୍ୟକ୍ତିଗତ ବଙ୍କର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଏହାଛଡା ସୀମାପାରି ଗୁଳି ବିନିମୟ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ଏନଡିଆରଏଫ୍ ଧାର୍ଯ୍ୟ କରିଥିବା ପରିମାଣ ଅନୁଯାୟୀ କ୍ଷତିପୂରଣ ଦିଆଯାଉଛି ଏବଂ ତିନୋଟି ଗୃହପାଳିତ ପଶୁ ମୃତ୍ୟୁର ଯେଉଁ ସୀମା କ୍ଷତିପୂରଣ ପ୍ରସ୍ତାବରେ ଥିଲା ତାହାକୁ ଉଠାଇ ଦିଆଯାଇଛି । ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ପରିମାଣ ୩୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜମ୍ମୁ-କାଶ୍ମୀର ପୁଲିସର ଦୁଇଟି ନୂଆ ସୀମାବର୍ତ୍ତୀ ବାଟାଲିଅନ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୦୧୯ ମାର୍ଚ୍ଚ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ସେ କହିଥିଲେ ।

ସମ୍ବନ୍ଧିତ ଖବର