ଉତ୍ତର କୋରିଆ କଲା କ୍ଷେପଣାସ୍ତ୍ର ପରୀକ୍ଷଣ, କିନ୍ତୁ ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ :  ଉତ୍ତର କୋରିଆ ପକ୍ଷରୁ ଗତ କାଲି କରାଯାଇଥିବା ଅନ୍ତ୍ଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । ଆମେରିକା ସମେତ ଭାରତ ବି ଏହାକୁ ନେଇ ଚିନ୍ତା କରିଛି । ତେବେ ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନ ନାଁ ନ ନେଇ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ ଭାରତ ଉତ୍ତରକୋରିଆ ପକ୍ଷରୁ କରାଯାଇଥିବା ଆଇସିବିଏମ ପରୀକ୍ଷଣକୁ ନିନ୍ଦା କରୁଛି ।  ଏହା ଜାତିସଂଘ ସଂକଳ୍ପର ବିରୋଧୀ । ଏହା ଏହି ଅଂଚଳର ସୁରକ୍ଷାକୁ ବିପନ୍ନ କରିବ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଅଂଚଳ (ଏସିଆ)ରେ ଆଣବିକ ଓ କ୍ଷେପଣାସ୍ତ୍ର ଟେକନଲୋଜୀ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଭାରତର ଏହି ଦାବି ପାକିସ୍ତାନକୁ ଲକ୍ଷ୍ୟ ରଖି କରାଯାଇଥିବା କୁହାଯାଉଛି । କାରଣ ପାକିସ୍ତାନ ହିଁ ଉତ୍ତର କୋରିଆକୁ ଚୋରାରେ ଆଣବିକ ପ୍ରଯୁକ୍ତି ଯୋଗାଇଥିଲା । ଏହାକୁ ଖୋଦ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ମାନିଥିଲେ । ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବଦୁଲ କାଦିର ଖାଁ ହିଁ ବିଶ୍ବରେ ଆଣବିକ ଅସ୍ତ୍ର ପ୍ରଯୁକ୍ତିର ଚୋରାବଜାର ଚଳାଇଥିଲେ । ସେହିପରି ପାକିସ୍ତାନର ଆଣବିକ ପ୍ରଯୁକ୍ତ ବଦଳରେ ଉତ୍ତରକୋରିଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ଟେକନଲୋଜୀ ଯୋଗାଇଥିଲା । ଏଣୁ ଏହି ଦୁଇ ରାଷ୍ଟ୍ରର ଚୋରା କାରବାର ଯୋଗୁଁ ଆଜି ଏସିଆର ସୁରକ୍ଷା ବିପନ୍ନ ହୋଇପଡ଼ିଛି ।

 

ସମ୍ବନ୍ଧିତ ଖବର