କୁଲଭୂଷଣଙ୍କୁ ପାକିସ୍ତାନ ତୁରନ୍ତ ମୁକ୍ତ କରିବା ପାଇଁ ଦାବୀ କଲେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଗୁରୁବାର ଭାରତ ସପକ୍ଷରେ ରାୟ ଶୁଣାଇବା ପରେ, ଆଜି (ଶୁକ୍ରବାର) ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ତୁରନ୍ତ କୁଲଭୂଷଣଙ୍କୁ ମୁକ୍ତ କରି ଭାରତ ପଠାଇ ଦେବା ପାଇଁ ପାକିସ୍ତାନ ନିକଟରେ ଦାବୀ କରିଛନ୍ତି।

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ସଂସଦର ଉଭୟ ଗୃହରେ ଆଇସିଜେଙ୍କ ରାୟ ଉପରେ ନିଜ ତରଫରୁ ବକ୍ତବ୍ୟ ଦେବାକୁ ଯାଇ କହିଛନ୍ତି ଯେ ୧୫:୧ ମତରେ ଆଇସିଜେ ଭାରତ ସପକ୍ଷରେ ରାୟ ପ୍ରଦାନ କରିବା ପରେ ପଡ଼ୋଶୀ ପାକିସ୍ତାନର ସବୁ ମିଛ ଏବେ ପଦାରେ ପଡ଼ିଯାଇଛି। ପାକିସ୍ତାନର ମିଛକୁ ଧରିବା ପରେ ଆଇସିଜେ ରାୟରେ ପାକିସ୍ତାନର ସାମରିକ ଅଦାଲତ କୁଲଭୂଷଣ ରାୟଙ୍କ ଶୁଣାଇଥିବା ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ସହ ଫାଶୀ ଦଣ୍ଡାଦେଶର ପୁନର୍ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ, ଆଇସିଜେଙ୍କ ରାୟ ପରିପ୍ରେକ୍ଷୀରେ ପାକିସ୍ତାନ ଆଉ ଅଧିକ ବିବାଦରେ ଛନ୍ଦି ନହୋଇ ବରଂ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ତୁରନ୍ତ ଭାରତ ପଠାଇ ଦେବା ପାକିସ୍ତାନ ପାଇଁ ଶ୍ରେୟସ୍କର ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

ସମ୍ବନ୍ଧିତ ଖବର