ଭାରତ ‘ବୈଶ୍ବିକ ଡ୍ରୋନ୍‌ ହବ୍‌’ ହୋଇ ପାରିବ: ଭାରତ ‌ଡ୍ରୋନ୍‌ ମହୋତ୍ସବରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବୈଶ୍ବିକ ଡ୍ରୋନ୍‌ ନାଭିଚକ୍ର (ହବ୍‌) ହେବା ନିମନ୍ତେ ଭାରତର ସାମର୍ଥ୍ୟ ଅଛି ବୋଲି ଆଜି ଦିଲ୍ଲୀର ପ୍ରଗତି ମୈଦାନରେ ଦେଶର ବୃହତ୍ତମ ଡ୍ରୋନ୍‌ ଉତ୍ସବ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ, ପୂର୍ବ ସରକାରମାନଙ୍କ ଅମଳରେ ପ୍ରଯୁକ୍ତିବିଦ୍ୟାକୁ ସମସ୍ୟା ବୋଲି ବିବେଚନା କରାଯାଉଥିଲା। ଏହାକୁ ଗରିବ-ବି‌ରୋଧୀ ବୋଲି ପ୍ରମାଣ କରିବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା। ଏହି ହେତୁ, ୨୦୧୪ ପୂର୍ବ ଶାସନ ବ୍ୟବସ୍ଥାରେ ‌ପ୍ରଯୁକ୍ତିବିଦ୍ୟା ପ୍ରତି କେହି ଆଗ୍ରହୀ ନ ଥିଲେ। ଦରିଦ୍ରମାନେ ସବୁଠୁ ଅଧିକ ଦୁଃଖ ପାଉଥିଲେ, ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ କଷ୍ଟ ପାଉଥିଲେ।

ଜନସାଧାରଣଙ୍କ ପ୍ରଯୁକ୍ତିବିଦ୍ୟା ଯୋଗାଇ ଦେବାରେ କେନ୍ଦ୍ର ସରକାର ସୁନିଶ୍ଚିତ ହୋଇଥିଲେ ବୋଲି କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ, ଆଗେ ପ୍ରଯୁକ୍ତିବିଦ୍ୟା ଏବଂ ତା’ର ଉଦ୍ଭାବନ ସବୁ ଉଚ୍ଚବର୍ଗଙ୍କ ନିମିତ୍ତ ବୋଲି ବିବେଚନା କରାଯାଉଥିଲା। ଆଜି ଆମେ ପ୍ରଯୁକ୍ତିବିଦ୍ୟାକୁ ପ୍ରଥମେ ଜନଗଣଙ୍କୁ ଉପଲବ୍ଧି କରାଉଛୁ।

Image Courtesy of ANI

‘ପିଏଲ୍‌ଆଇ’ ଭଳି ଯୋଜନା ଜରିଆରେ ଆମେ ଭାରତରେ ଗୋଟାଏ ବଳିଷ୍ଠ ଡ୍ରୋନ୍‌ ନିର୍ମାଣକାରୀ ଇକୋସିଷ୍ଟମ୍‌ ତିଆରି କରିବାକୁ ଯାଉଛୁ।

ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଡ୍ରୋନ୍‌ର ବ୍ୟବହାର ବୃଦ୍ଧି ପାଇବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

କିଷାନ୍‌ ଡ୍ରୋନ୍‌ ପାଇଲଟ୍‌ମାନଙ୍କ ସହିତ ଆଳାପ କରିବା ସହ ପ୍ରଧାନମନ୍ତ୍ରୀ ଏହି ଡ୍ରୋନ୍‌ ପ୍ରଦର୍ଶନୀ କେନ୍ଦ୍ରରେ ଖୋଲା ଆକାଶରେ ଡ୍ରୋନ୍‌ ଉଡ଼ାଣ ଦେଖିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦୁଇ ଦିନ ଧରି ଚଲିବାକୁ ଥିବା ଏହି ଡ୍ରୋନ୍‌ ମହୋତ୍ସବରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ସମାଜର ଅନେକ କ୍ଷେତ୍ରରେ ଡ୍ରୋନ୍‌ ସହାୟକ ହୋଇ ପାରିବ। ୨୦୧୬ ସୁଦ୍ଧା ଡ୍ରୋନ୍‌ ଶିଳ୍ପ ୧୫୦୦୦ କୋଟି ଟଙ୍କାର କାରବାର କରିବ। ସମ୍ପ୍ରତି ଦେଶରେ ୨୭୦ଟି ଡ୍ରୋନ୍‌ କାରଖାନା ଚାଲିଛି।

ସମ୍ବନ୍ଧିତ ଖବର