ଭାରତ-କାନାଡ଼ା ସଂପର୍କ ତିକ୍ତ

ସମ୍ପର୍କ ଛିନ୍ନ ପାଇ ପରୋକ୍ଷ ସଙ୍କେତ, କାନାଡ଼ାର ଅଭିଯୋଗ ଭିତ୍ତିହୀନ: ଭାରତ

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ନିକଟରେ ଭାରତ ଗସ୍ତରୁ ଫେରିଥିବା ବେଳେ ଏହି ଗସ୍ତକାଳରେ ଭାରତ ସରକାର ଯୋଜନାବଦ୍ଧ ଭାବେ ତାଙ୍କ ଭାବମୂର୍ତ୍ତି ଖରାପ କରିଥିବା ଅଭିଯୋଗ ଆଣିଛନ୍ତି। କାନାଡ଼ା ସଂସଦରେ ଜଷ୍ଟିନ୍‌ଙ୍କ ଏଭଳି ବୟାନ ଦେବା ସହ ଭାରତ ସହିତ ସଂପର୍କ ଛିନ୍ନ ପାଇଁ ପରୋକ୍ଷରେ ଚେତାବନୀ ଶୁଣାଇଛନ୍ତି। ଭାରତ ବିରୋଧରେ ତାଙ୍କର ଏଭଳି ବେପରୁଆ ବୟାନବାଜି ଯୋଗୁଁ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ଙ୍କ ଭାରତ ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ଖଲିସ୍ତାନୀ ଆତଙ୍କବାଦୀ ଜଶପାଲ ଅଟଓ୍ଵାଲକୁ କାନାଡ଼ା ଦୂତାବାସ ନିମନ୍ତ୍ରଣ କରିଥିବାରୁ ଏହାକୁ ଭାରତ ଜୋର୍‌୍‌ଦାର ବିରୋଧ କରିଥିଲା। ଏହି ମାମଲାକୁ ନେଇ ଜଷ୍ଟିନ୍‌ କ୍ଷମା ମାଗିବା ସହ ଅଟଓ୍ଵାଲଙ୍କ ନିମନ୍ତ୍ରଣକୁ ରଦ୍ଦ କରିଥିଲେ। ତେବେ ଏବେ କାନାଡ଼ା ସରକାର ତାଙ୍କର ଆଭିମୁଖ୍ୟ ବଦଳାଇ ଏଥିପାଇଁ ଭାରତକୁ ଦୋଷ ଦେଇଛନ୍ତି। ଯଦି ଭାରତର ଅଭିଯୋଗ ସତ୍ୟ ତେବେ ଏନେଇ ପ୍ରମାଣ ଦିଅନ୍ତୁ ବୋଲି କାନାଡ଼ା ସରକାର ଯୁକ୍ତି ବାଢିଛନ୍ତି। ଯୋଜନାବଦ୍ଧ ଭାବେ ଭାରତ ସରକାର ତାଙ୍କୁ ଅପମାନିତ କରିଛନ୍ତି ବୋଲି ଜଷ୍ଟିନ୍‌ ଅଭିଯୋଗ କରିଥିବାରୁ ଭାରତ ସରକାର ଏହାକୁ ଖଣ୍ଡନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏହି ପ୍ରସଙ୍ଗରେ କହିଛନ୍ତି ଯେ, କାନାଡ଼ାର ସମସ୍ତ ଅଭିଯୋଗ ଭିତ୍ତିହୀନ। ଏହାର କୌଣସି ଯୁକ୍ତିକୁ ଗ୍ରହଣ କରାଯାଇ ପାରିବ ନାହିଁ। ସେପଟେ କାନାଡ଼ା ରାଜନୀତିରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନାଡ଼ା ଶାସକ ଦଳର କିଛି ନେତା ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି କହିଛନ୍ତି ଯେ, ଭାରତର ଏତାଦୃଶ ଆଚରଣ ଦୁଇ ଦେଶର ବୈଦେଶିକ ଓ କୂଟନୈତିକ ସମ୍ପର୍କ ଉପରେ ପ୍ରଭାବ ପକାଇବ। କାନାଡାର ଜାତୀୟ ସୁରକ୍ଷା ଉପଦେଷ୍ଟା ଡାନିଏଲ ଜିନ୍‌ କହିଛନ୍ତି ଯେ ଅଟଓ୍ଵାଲକୁ ଭାରତ ସରକାର ହିଁ ସେଠାକୁ ଯିବାକୁ ସୁଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, କାନାଡ଼ାରେ ଅଟଓ୍ଵାଲ ଲଗାତାର ଭାରତ ବିରୋଧରେ ଷଡ଼ଯନ୍ତ୍ର କରି ଆସୁଛନ୍ତି ଏବଂ ଖଲିସ୍ତାନୀ ଉଗ୍ରବାଦୀଙ୍କୁ ସହାୟତା ଯୋଗାଉଛନ୍ତି।

ସମ୍ବନ୍ଧିତ ଖବର