ଇରାନରୁ ତେଲ କିଣିବା ବନ୍ଦ କରିପାରିବୁ ନାହିଁ, ଆମେରିକାକୁ ରୋକଠୋକ ଶୁଣାଇଲା ଭାରତ

ନୂଆଦିଲ୍ଲୀ : ନଭେମ୍ବର ୪ ସୁଦ୍ଧା ଇରାନଠାରୁ ତେଲ ଆମଦାନୀ ବନ୍ଦ କରିବାକୁ ଆମେରିକା ଭାରତକୁ ଏକରକମ ଧମକ ଦେଇଥିବାବେଳେ ଭାରତ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି ରୋକଠୋକ ଜଣାଇଦେଇଛି । ଏହା ଫଳରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିବାର ଆଶଙ୍କା ରହିଛି ।
ଗତକାଲି ଆମେରିକା ପକ୍ଷରୁ ଭାରତ ସହ ହେବାକୁ ଥିବା ୨+୨ ବୈଠକକୁ ବାତିଲ କରିଦିଆଯାଇଥିଲା । ଏହା ସତ୍ତ୍ୱେ ଭାରତ ଇରାନ ସହିତ ସମ୍ପର୍କ ଛିନ୍ନ କରିବା ସମ୍ଭବ ନୁହେଁ ବୋଲି ଜଣାଇଛି । ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରୁଛି । ଇରାନ ଭାରତକୁ ରିହାତି ଦରରେ ତେର ଯୋଗାଇଥାଏ । ଆହୁରି ମଧ୍ୟ ଇରାନକୁ ଭାରତୀୟ ଟଙ୍କାରେ ପେମେଣ୍ଟ କରିଥାଏ ଭାରତ । ଏଣୁ ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ଉପର ତଳ ହେଲେ ମଧ୍ୟ ତାହାର ପ୍ରଭାବ ଇରାନ-ଭାରତ ତୈଳ କାରବାର ଉପରେ ପଡିନଥାଏ । ଅନ୍ୟପକ୍ଷରେ ଇରାନରେ ଭାରତ ଚାବାହାର ବନ୍ଦର ନିର୍ମାଣ କରିଛି । ଏହା ମାଧ୍ୟମରେ ଭାରତ ଆଫଗାନିସ୍ତାନ ଓ ସମଗ୍ର କେନ୍ଦ୍ର ଏସିଆ ପାଇଁ ବାଟ ଖୋଲୁଛି । ଏଣୁ ଇରାନକୁ ଛାଡିବା ଭାରତ ପକ୍ଷରେ ସମ୍ଭବ ନୁହେଁ ।
ଅନ୍ୟପକ୍ଷରେ ଋଷିଆଠାରୁ ଅସ୍ତ୍ରଶସ୍ତ୍ର କିଣିବା ଉପରେ ମଧ୍ୟ ଆମେରିକା କଟକଣା ଲଗାଉଛି । ବିଶେଷ କରି ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବା ଲାଗି ଚୁକ୍ତି କରିସାରିଛି । ଆମେରିକା ପରି ଏକ ଅବିଶ୍ୱାସୀ ଦେଶ ଚାପରେ ପଡି ଋଷିଆକୁ ଧୋକା ଦେବାକୁ ଚାହୁଁନାହିଁ ଭାରତ ।

ସମ୍ବନ୍ଧିତ ଖବର