କୋଭିଡ୍‌-୧୯ କଟକଣା ମଧ୍ୟରେ ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ; ପ୍ରଥମ ଥର ପାଇଁ ଫ୍ଲାଇପାଷ୍ଟରେ ଭାଗ ନେଉଛି ରାଫେଲ୍‌ ଜେଟ୍‌

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଆଜି ଦେଶ ତା’ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଛୋଟଧରଣର ପରେଡ୍‌, କୌଣସି ମୁଖ୍ୟ ଅତିଥି ନ ଥାଇ ତଥା ସ୍ୱଳ୍ପ ସଂଖ୍ୟକ ସାଧାରଣ ଜନତା ଉପସ୍ଥିତି ଯୋଗୁଁ ଏଥରର ଏହି ଜାତୀୟ ଉତ୍ସବରେ ଏତେଟା କୋଳାହଳ ହେଉନାହିଁ।

ଆଜି ଏହି ଉତ୍ସବରେ ଭାରତ ତା’ର ସାମରିକ ସାମର୍ଥ୍ୟ ପ୍ରଦର୍ଶନପୂର୍ବକ ପ୍ରଥମ ଥର ପାଇଁ ଫ୍ଲାଇପାଷ୍ଟରେ ରାଫେଲ୍‌ ଲଢୁଆ ବିମାନ ଉଡ଼ାଣ ପ୍ରଦର୍ଶନ କରୁଛି। ଏହାଛଡ଼ା ଟି-୯୦ ଟ୍ୟାଙ୍କ୍‌, ସାମବିଜୟ ଇଲେକ୍ଟ୍ରୋନିକ୍‌ ଓ୍ଵାର୍‌ଫେୟାର୍‌ ସିଷ୍ଟମ୍‌, ସୁଖୋଇ-୩୦ ଏମ୍‌କେଆଇ ଫାଇଟର୍‌ ଜେଟ୍‌ ପ୍ରଭୃତି ମଧ୍ୟ ପ୍ରଦର୍ଶନ କରାଯାଉଛି।

Image Courtesy of The Print

ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଏଥର ରାଜପଥରେ ସମୁଦାୟ ୩୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସେଥିରୁ ୧୭ଟି ହେଉଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର, ୬ଟି ପ୍ରତିରକ୍ଷା ମନ୍ତ୍ରାଳୟର ଏବଂ ୯ଟି କେନ୍ଦ୍ର ମନ୍ତ୍ରାଳୟ ଏବଂ ପାରାମିଲିଟାରି ଫୋର୍ସର। ଏହି ସବୁ ପ୍ରଜ୍ଞାପନ ମେଢ଼ରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆର୍ଥିକ ପ୍ରଗତି ଏବଂ ପ୍ରତିରକ୍ଷା ପରାକ୍ରମ ବର୍ଣ୍ଣିତ ହୋଇଛି।

ଏହାଛଡ଼ା ସ୍କୁଲ୍‌ ପିଲାଏ ଲୋକକଳା ଏବଂ କାରୁକଳା ଇତ୍ୟାଦି ପ୍ରଦର୍ଶନ କରିବେ। ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସୁନ୍ଦର ଲୋକନୃତ୍ୟ ବାଜାସାଲ ମଧ୍ୟ ପ୍ରଦର୍ଶନ ହେବ। ଏହି ଜାତୀୟ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୋଭ୍‌ମେଣ୍ଟ୍‌’ ଏବଂ ‘ଆତ୍ମନିର୍ଭର ଭାରତ’ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ବାଂଲାଦେଶ ସେନାର ୧୨୨ଜଣ ଯବାନ ମଧ୍ୟ ରାଜପଥରେ ମାର୍ଚ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଫେରିବା ପରେ ଆଜିର ସାଧାରଣତନ୍ତ୍ର ଦିବସ ପରେଡ୍‌ ଆରମ୍ଭ ହେବ। ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍‌ କରିଛନ୍ତି: ସମସ୍ତ ଭାରତବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା। ଜୟ ହିନ୍ଦ୍‌!

ସମ୍ବନ୍ଧିତ ଖବର