ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ରୋମାଞ୍ଚକ ଭାବେ ପୁଣି ଥରେ ଏସିଆ କପ୍ ଜିତିବା ପରେ ସମଗ୍ର ଦେଶ ଉତ୍ସବ ମୁଖର ହୋଇଛି। ଭାରତୀୟ କ୍ରିକେଟର୍‌ଙ୍କୁ ପ୍ରଶଂସକମାନେ ପ୍ରଶଂସାରେ ପୋତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ପଡ଼ିଆରେ ଅପରେସନ୍ ସିନ୍ଦୂରର ପ୍ରଭାବ ଲେଖିବା ପରେ ରାଜନୀତି, ବ୍ୟବସାୟ, ସମାଜସେବା କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଟିମ୍ ଇଣ୍ଡିଆକୁ ବଧେଇ ଦେଇଛନ୍ତି। 

Advertisment

ରବିବାର ରାତି ସାରା ମଧ୍ୟ ଭାରତୀୟ ପ୍ରଶଂସକ ଆତସବାଜିରେ ମାତି ରହିଥିଲେ। ଭାରତୀୟ ଦଳ ସେମାନଙ୍କୁ ଆଗୁଆ ଦଶହରା ଭେଟି ଦେଲେ ବୋଲି ଉଲ୍ଲସିତ ‌ହୋଇ କହିଥିଲେ।  ପରାଜିତ ପାକିସ୍ତାନ କିନ୍ତୁ ଦୁଃଖରେ ବୁଡ଼ି ରହିଛି। ଭାରତଠାରୁ ଫାଇନାଲ୍ ସହ ଲଗାତାର ତିନିଟି ମ୍ୟାଚ୍ ହାରିବାକୁ ସେଠାକାର କ୍ରିକେଟ୍‌ପ୍ରେମୀ ହଜମ କରି ପାରୁନାହାନ୍ତି। ଟେଲିଭିଜନ ଚ୍ୟାନେଲରେ କାର୍ଯ୍ୟକ୍ରମ କରି ନିଜ ଦଳର ଖେଳାଳିଙ୍କୁ ହିଁ ଅଶାଳୀନ ଭାଷାରେ ଗାଲି ଗୁଲଜ କରୁଛନ୍ତି। ସବୁଠୁ ଅଧିକ ବିବାଦରେ ଅଛନ୍ତି ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ। କେହିକେହି ଭାରତ ଆମ ବାପା, ତା ସହ ଲଢ଼ନାହିଁ ବୋଲି ନିଜ ଖେଳାଳିଙ୍କୁ ପରାମର୍ଶ ଦେଉଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ସେଠାକାର ଘରେଘରେ ପରିଚିତ ହୋଇଯାଇଛନ୍ତି। କିଛି ପାକିସ୍ତାନୀ ପ୍ରଶଂସକ ଖେଳାଳିମାନେ ଘରକୁ ଫେରିଲେ ସେମାନଙ୍କୁ ଅଣ୍ଡା ମାଡ଼ କରିବେ  ବୋଲି ଧମକ ଦେଉଛନ୍ତି। କିଛି ପ୍ରଶଂସକ କାନ୍ଦିକାନ୍ଦି ବେହୋସ ହୋଇଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପାକିସ୍ତାନର ଅସହାୟତାକୁ କଟାକ୍ଷ କରି କରି ଭାରତୀୟ ପ୍ରଶଂସକମାନେ ମିମ୍‌ର ବର୍ଷା କରୁଛନ୍ତି।