ଚୀନ୍‌କୁ ଟକ୍କର ଦେବ ଭାରତ

ଦକ୍ଷିଣ ଏସିଆରେ ପ୍ରଭାବ ବିସ୍ତାର

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରଗୁଡିକରେ ଚୀନ୍‌ର ବର୍ଦ୍ଧିତ ଆଧିପତ୍ୟକୁ ନେଇ ଚିନ୍ତିତ ଥିବା ଭାରତ ସରକାର ଏହାର ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏବେ ବାଂଲାଦେଶ, ପାକିସ୍ତାନ, ମ୍ୟାଁମାର, ଆଫଗାନିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ସମେତ ସମଗ୍ର ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବିସ୍ତାର ସହ ଚୀନ୍‌କୁ ଟକ୍କର ଦେବାଲାଗି ଭାରତ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ ପଡ଼ୋଶୀ ଦେଶଗୁଡିକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ଆସନ୍ତା ଏପ୍ରିଲ ପହିଲାରୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତ ଆର୍ଥିକ ସହାୟତା ଏବଂ ସୁସଂପର୍କ ମାଧ୍ୟମରେ ପଡ଼ୋଶୀଙ୍କ ବିକାଶ ଚାହୁଥିବା ବେଳେ ଚୀନ୍‌ ନିଜର ଆଧିପତ୍ୟ ଓ ପୁଂଜି ଲଗାଣ ବଢ଼ାଇ ବିଶ୍ୱାସର ପାତ୍ର ହେବାକୁ ପ୍ରାୟାସ କରୁଛି। ନିଜ ସ୍ୱାର୍ଥକୁ ଆଖିଆଗରେ ରଖି ସମ୍ପର୍କ ବୃଦ୍ଧି କରୁଥିବା ଚୀନ୍‌ ଏହାର ବିଭିନ୍ନ ପଡ଼ୋଶୀ ଦେଶରେ ସାମରିକ ଘାଟି ଓ ବ୍ୟବସାୟ ପେଣ୍ଠସ୍ଥଳୀ ନିର୍ମାଣ କରୁଛି। ଗତ ସପ୍ତାହରେ ସଂସଦୀୟ କମିଟିର ବୈଠକରେ କୁହାଯାଇଥିଲା ଯେ, ଚୀନ୍‌ ଏହାର ପଡ଼ୋଶୀ ଦେଶଙ୍କ ସହ ଉତ୍ତମ ସମ୍ପର୍କ ପାଇଁ ସେଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଜାରିରଖିଛି। ଚୀନ୍‌କୁ ପ୍ରତିହତ କରିବାକୁ ହେଲେ ଭାରତକୁ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ କରିବାକୁ କମିଟି ପ୍ରସ୍ତାବ ଦେଇଛନ୍ତି। ଭାରତ-ନେପାଳ ସୀମା ଓ ଭାରତ-ଭୁଟାନ୍‌ ସୀମାର ଡୋକ୍‌ଲାମ୍‌ରେ ଚୀନ୍‌କୁ ପ୍ରତିହତ କରିବା ପାଇଁ ନେପାଳ ଓ ଭୁଟାନର ଆର୍ଥିକ ସହାୟତା ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ ବୋଲି ସରକାର କହିଛନ୍ତି। ସେପଟେ ଶ୍ରୀଲଙ୍କାର ହବନ୍‌ତୋଟା ବନ୍ଦରକୁ ଚୀନ୍‌ ନିଜ ଅକ୍ତିଆରକୁ ନେବା, ପାକିସ୍ତାନରେ ଆର୍ଥିକ କରିଡର ନିର୍ମାଣ କରିବା ଏବଂ ସମସ୍ତ ପଡ଼ୋଶୀ ଦେଶଙ୍କୁ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍‌(ବିଆର୍‌ଆଇ) ଯୋଜନାରେ ଯୋଡିବା ପାଇଁ ଚୀନ୍‌ ପ୍ରୟାସ କରୁଛି। ଆର୍ଥିକ ଜାଲରେ ଫସାଇ ସମସ୍ତ ପଡ଼ୋଶୀଙ୍କୁ ଭାରତ ବିରୋଧରେ ମତାଇବାକୁ ମଧ୍ୟ ଚେଷ୍ଟା କରୁଥିବାରୁ ଭାରତ ସରକାରଙ୍କୁ ମଧ୍ୟ ଏନେଇ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ଗୃହ ମନ୍ତ୍ରାଳୟ କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷରୁ ଭାରତ ସରକାର ପଡୋଶୀ ଦେଶଙ୍କୁ ଯୋଗାଇବାକୁ ଯାଉଥିବା ବର୍ଦ୍ଧିତ ଆର୍ଥିକ ସହାୟତା ଆଧାରରେ ଭୁଟାନ୍‌ ଓ ନେପାଳ ଅଧିକ ଲାଭପ୍ରଦ ହେବେ। ୨୦୧୭-୧୮ରେ ନେପାଳକୁ ୩୭୫କୋଟି ଟଙ୍କାର ସହାୟତା ରାଶି ଦିଆଯାଇଥିବା ବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ୭୩ ପ୍ରତିଶତ ବୃଦ୍ଧି କରାଯାଇ ୬୫୦କୋଟି ଟଙ୍କା ଦିଆଯିବ। ଭୁଟାନ୍‌କୁ ୧୮୧୩କୋଟି ଟଙ୍କା ପ୍ରଦାନ କରାଯିବ। ଭୁଟାନର ପୁନତସଙ୍ଗଚୁ ଓ ମଙ୍ଗଡେଚୁରେ ଜଳ ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର ସ୍ଥାପନ ଓ ଅନ୍ୟ ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ଭାରତ ସରକାର ଆସନ୍ତା ୫ବର୍ଷ ପାଇଁ ଏହି ସହାୟତା କରୁଛନ୍ତି। ସେହିଭଳି ଆଫଗାନିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତାକୁ ୩୫୦ କୋଟିରୁ କମାଇ ୩୨୫ କୋଟି କରାଯାଇଥିବା ବେଳେ, ସିସିଲିର ସହାୟତା ରାଶିକୁ ୨୦୦କୋଟିରୁ ୩ଶହ କୋଟିକୁ ବୃଦ୍ଧି କରାଯାଇଛି। ମଁ୍ୟାମାରର ସହାୟତା ରାଶିକୁ ୨୨୫ କୋଟିରୁ ୨୮୦ କୋଟିକୁ ବୃଦ୍ଧି କରାଯାଇଥିବା ବେଳେ ବାଂଲାଦେଶକୁ ୬୫କୋଟିରୁ ୧୭୫ କୋଟିକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର