୧୨ରେ ପୁଣି ବୈଠକ କରିବେ ଭାରତ-ଚୀନ ସେନା, ସୈନ୍ୟ ପ୍ରତ୍ୟାହାର ହେବ କି ?

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ୧୪ତମ କୋର୍ କମାଣ୍ଡର ସ୍ତରୀୟ ବୈଠକ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଗତ ଡିସେମ୍ବର ମାସରେ ଅନୁଷ୍ଠିତ ୧୩ତମ ବୈଠକରେ ଅବଶିଷ୍ଟ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ କୌଣସି ସହମତି ହୋଇପାରନଥିଲା । କିନ୍ତୁ ଚୀନର ଅଭିମୁଖ୍ୟକୁ ଦେଖିଲେ ମନେହେଉଛି ଯେ ଆଗାମୀ ବୈଠକରେ ମଧ୍ୟ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି ଆସିବା କଷ୍ଟକର ହେବ ।

ନୂଆବର୍ଷ ଉପଲକ୍ଷେ ଭାରତ ଓ ଚୀନ ସେନା ମଧ୍ୟରେ ଉପହାର ବଣ୍ଟନ ପରେ ସ୍ଥିତିରେ ଉନ୍ନତି ଆସିବା ଆଶା କରାଯାଉଥିଲା । କିନ୍ତୁ ଏହାର କିଛି ଦିନ ପରେ ଚୀନ ପକ୍ଷରୁ ଗଲଓ୍ବାନରେ ପତାକା ଉଡ଼ାଯାଉଥିବାର ଏକ ଭିଡିଓ ଜାରି  ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିଲା । ତେବେ ଭାରତ ପକ୍ଷରୁ ମଧ୍ୟ ଏକ ଭିଡିଓ ଜାରି କରି ଚୀନ ଦୁସ୍ପ୍ରଚାରର କଡ଼ା ଜବାବ ଦିଆଯାଇଥିଲା ।

୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରୁଛି । କିନ୍ତୁ ଚୀନର ଅଧିକ ସଂଖ୍ୟକ ସୈନ୍ୟ ମରିଥିବା ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସି କହୁଛନ୍ତି । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର