ଭାରତ-ଚୀନ୍‌ ୧୦ମ ପର୍ଯ୍ୟାୟ ଶୀର୍ଷ ସାମରିକ ବୈଠକ, ଏଲ୍‌ଏସିରେ ସ୍ଥାୟୀ ଶାନ୍ତି ପାଇଁ ରଣନୀତି

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ସର୍ବାଧିକ ଉତ୍ତେଜନାପ୍ରବଣ ଅଂଚଳ ପାଲଟିଥିବା ପେଙ୍ଗୋଙ୍ଗ୍‌ ହ୍ରଦ ଅଂଚଳରୁ ଉଭୟ ଭାରତ ଏବଂ ଚୀନ୍‌ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହେବା ସହିତ ଆଜି ଉଭୟ ଦେଶ ମଧ୍ୟରେ ୧୦ମ ପର୍ଯ୍ୟାୟ ଶୀର୍ଷ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ଲେଫ୍‌ଟନାଣ୍ଟ ଜେନେରାଲ ପିଜିକେ ମନେନ ନେଇଥିବା ବେଳେ ଚୀନ୍‌ ପକ୍ଷର ନେତୃତ୍ବ ମେଜର ଜେନରାଲ ଲିଉ ଲିନ୍‌ ନେଇଥିଲେ। ଆଜିର ବୈଠକରେ ପୂର୍ବ ଲଦାଖ୍‌ର ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ ଏବଂ ଦେପ୍‌ସାଂଗ ଅଂଚଳରୁ ସେନା ପ୍ରତ୍ୟାହାର ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ଅଂଚଳରେ ଏପ୍ରିଲ ୨୦୧୯ ପୂର୍ବର ସ୍ଥିତିକୁ ଫେରିବା ପାଇଁ ଭାରତ ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। ଉଭୟ ପକ୍ଷ ଉତ୍ତେଜନା ରହିଥିବା ଅଂଚଳରୁ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର ପାଇଁ ଆଲୋଚନା କରିଥିଲେ। ଏ ବାବଦରେ ପରବର୍ତ୍ତୀ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ଏବଂ ଏହା ସମ୍ଭବ ହେଲେ ପୂର୍ବ ଲଦାଖ୍‌ ଏଲ୍‌ଏସିକୁ ନେଇ ଚାଲିଥିବା ବିବାଦର ଏକ ଦୀର୍ଘକାଳୀନ ସମାଧାନ ହୋଇପାରିବ ବୋଲି ଆଶା ରହିଛି।

ସୂଚନାଯୋଗ୍ୟ, ପୂର୍ବ ଲଦାଖ୍‌‌ରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍‌ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଥିବା ବେଳେ ପୂର୍ବ ଲଦାଖ୍‌ ସ୍ଥିତ ପେଙ୍ଗୋଙ୍ଗ୍‌ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ବକୁ ଚୀନ୍‌ ସୈନିକ ଖାଲି କରିଦେଇଛନ୍ତି।

ସମ୍ବନ୍ଧିତ ଖବର