ଆସନ୍ତା କାଲି ଭାରତ-ଚୀନ ୧୩ତମ କୋର କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନା ମଧ୍ୟରେ ୧୩ତମ କୋର କମାଣ୍ଡର ସ୍ତରୀୟ ବୈଠକ ଆସନ୍ତା କାଲି ଚୁଲସୁଲ-ମୋଲଡୋ ସୀମା ନିକଟରେ  ଅନୁଷ୍ଠିତ ହେବ । ଏଲଏସିର ଚୀନ ପଟେ ଥିବା ବର୍ଡର ପର୍ସେନେଲ ମିଟିଂ ପଏଣ୍ଟ (ବିପିଏମ)ରେ ଏହି ବୈଠକ ଅନୁଷ୍ଠିତ ହେବ । ଗତ ୧୭-ମାସ ଧରି ଲଦାଖରେ ଚାଲିଥିବା ଅଚଳାବସ୍ଥାର ଅବସାନ ଘଟାଇବା ଏହି ବୈଠକର ଉଦ୍ଦେଶ୍ୟ ।

ଲେପ୍ଟନାଣ୍ଟ ଜେନେରାଲ ପିଜିକେ ମେନନ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ବ ନେବେ । ଭାରତୀୟ ପ୍ରତିନିଧି ମଣ୍ଡଳରେ ସେନା ଅଧିକାରୀମାନଙ୍କ ବ୍ୟତୀତ କୂଟନୈତିକ ଅଧିକାରୀମାନେ ମଧ୍ୟ ରହିବେ । ଚୀନ ପକ୍ଷର ନେତୃତ୍ବ ନେବେ ସିଜିଆନ ମିଲିଟାରୀ ଡିଷ୍ଟ୍ରିକ୍ଟର କମାଣ୍ଡର ମେଜର ଜେନେରାଲ ଲିଉ ଲିନ ।

ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର