ସୀମାନ୍ତରେ ଶାନ୍ତି ବଜାୟ ରଖିବା ଲାଗି ୧୧ଶ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ଭାରତ ଓ ଚୀନ୍‌ ସମ୍ମତ

ନୂଆଦିଲ୍ଲୀ: ଆଉ କୌଣସି ଅଘଟଣ ନ ଘଟାଇ ସୀମାନ୍ତ ଅଞ୍ଚଳରେ ମିଳିତ ଭାବେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ଓ ଚୀନ୍‌ ୧୧ଶ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ସମ୍ମତ ହୋଇଥିବା କଥା ଶନିବାର ଦିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ସରକାରୀ ବିବୃତି ଅନୁସାରେ, ଏପ୍ରିଲ୍‌ ୯ ତାରିଖ ଦିନ ଚୁଶୂଲ-ମୋଲ୍‌ଦୋ ସୀମାନ୍ତରେ ଭାରତ-ଚୀନ୍‌ ମଧ୍ୟରେ ୧୧ଶ କର୍ପସ୍‌ କମାଣ୍ଡର୍‌ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସମ୍ବନ୍ଧୀୟ ବାକି ରହିଥିବା ପ୍ରସ୍ତାବନା ଉପରେ ବିଶେଷ ମତ ବିନିମୟ ହୋଇଥିଲା।

Image Courtesy of The Indian Express

ସାମ୍ପ୍ରତିକ ରାଜିନାମା ଓ ନିୟମ ଅନୁସାରେ ପଡ଼ିରହିଥିବା ସମସ୍ୟା ସବୁକୁ ତୁରନ୍ତ ସମାଧାନ କରିବା ପାଇଁ ଭାରତ ଓ ଚୀନ୍‌ ମଧ୍ୟ ରାଜି ହୋଇଛନ୍ତି।
ଅନ୍ୟାନ୍ୟ ଅଞ୍ଚଳରୁ ସୈନ୍ୟ ଅପସାରଣ କରାଗଲେ ହିଁ ଶାନ୍ତି ଓ ସ୍ଥିରତା ଆସିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତି ହେବ ବୋଲି ଏହି ବୈଠକରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ, ୨୦୨୧ ଫେବ୍ରୁଆରି ୨୦ ଦିନ ଭାରତ ଓ ଚୀନ୍‌ ମଧ୍ୟରେ ୧୦ମ ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ହଟ୍‌ ସ୍ପ୍ରିଙ୍ଗ୍ସ, ଗୋଗ୍ରା ଏବଂ ୯୦୦ ବର୍ଗ କିଲୋମିଟର୍‌ ଦେପସାଙ୍ଗ ସମତଳ ଅଞ୍ଚଳ ଭଳି ବିବାଦୀୟ ସ୍ଥଳରୁ ସୈନ୍ୟ ଅପସାରଣ କଥା ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର