ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ମଧ୍ୟରେ ସହମତି

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥିବା ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ରାଜି ହୋଇଛନ୍ତି । ଏହା ଫଳରେ ଗତ ବର୍ଷଠାରୁ ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ପାଇବାର ଆଶା ସୃଷ୍ଟି ହୋଇଛି ।

ଗତ ଶନିବାର ଦିନ ଚୀନର ମୋଲଡୋଠାରେ ଅନୁଷ୍ଠିତ ହୋଇଥିବା ୧୨ତମ କୋର କମାଣ୍ଡର ବୈଠକରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ହ୍ରାସ ଓ ଶାନ୍ତି ବଜାୟ ରଖାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର ଲାଗି ଦୁଇ ଦେଶର ସେନା ରାଜି ହୋଇଥିଲେ । ତେବେ ଦେପସାଙ୍ଗରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଏବେ ବି କୌଣସି ନିଷ୍ପତ୍ତି ହୋଇନଥିବା ଜଣାଯାଇଛି ।

ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା ।

ତେବେ ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ପରେ ଗତ ଫେବ୍ରୁଆରିମାସରେ ପେଙ୍ଗଙ୍ଗ୍ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଗୋଗ୍ରା ଶିଖର, ହଟ ସ୍ପ୍ରିଙ୍ଗ ଓ ଦେପସାଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇପାରି ନଥଲା ।

ସମ୍ବନ୍ଧିତ ଖବର